
ବିଜ୍ଞାନ ଭବନରେ ଆୟୋଜିତ ହେବ କାର୍ଯ୍ୟକ୍ରମ, ଯୋଗଦେବେ କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ
ନୂଆଦିଲ୍ଲୀ, ୦୩ ନଭେମ୍ବର (ହି.ସ.) : ଦେଶର ଅଦାଲତୀ କାର୍ଯ୍ୟପ୍ରଣାଳୀକୁ ସମ୍ପୂର୍ଣ୍ଣ ଡିଜିଟାଲ୍ ଓ କାଗଜମୁକ୍ତ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଇ-କୋର୍ଟ ମିଶନ ମୋଡ୍ ପ୍ରକଳ୍ପ ଅଧୀନରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ନ୍ୟାୟ ବିଭାଗ ପକ୍ଷରୁ ବୁଧବାର ‘ଇ-ଫାଇଲିଂ ୩.୦ : ପ୍ରକ୍ରିୟାରୁ ବ୍ୟବହାରିକ ପ୍ରୟୋଗ ପର୍ଯ୍ୟନ୍ତ’ ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆୟୋଜନ କରାଯିବ। ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି କର୍ମଶାଳାରେ କେନ୍ଦ୍ରୀୟ ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିସହ ସୁପ୍ରିମକୋର୍ଟର ଇ-କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ।
ସରକାରୀ ଅଧିକାରୀମାନଙ୍କୁ ‘ଇ-ଫାଇଲିଂ ୩.୦’ ପ୍ଲାଟଫର୍ମର କାର୍ଯ୍ୟପ୍ରଣାଳୀ ଓ ବିଭିନ୍ନ ବୈଷୟିକ ଦିଗ ସମ୍ପର୍କରେ ଅବଗତ କରାଇବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍ଆଇସି) ପକ୍ଷରୁ ସ୍ୱତନ୍ତ୍ର ବୈଷୟିକ ଅଧିବେଶନ ଆୟୋଜନ କରାଯିବ।
ଏହି ଅଧିବେଶନରେ ଇ-କୋର୍ଟର କାର୍ଯ୍ୟପ୍ରଣାଳୀ, ଇ-କୋର୍ଟ ସିଙ୍ଗଲ୍ ସାଇନ୍-ଅନ୍ (ଏସ୍ଏସ୍ଓ), ଇ-କୋର୍ଟ ସର୍ଭିସେସ୍ ମୋବାଇଲ୍ ଆପ୍ ଏବଂ ଇ-ଫାଇଲିଂ ୩.୦ର ପ୍ରମୁଖ ବୈଶିଷ୍ଟ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯିବ। ଏଥିସହ ସରକାରୀ ଓକିଲ ଏବଂ ବିଭିନ୍ନ ବିଭାଗ ପାଇଁ ଉପଲବ୍ଧ ସୁବିଧାଗୁଡ଼ିକୁ ନେଇ ଅଧିକାରୀମାନଙ୍କ ସହ ଖୋଲା ଆଲୋଚନା ମଧ୍ୟ ହେବ।
ଉଲ୍ଲେଖଯୋଗ୍ୟ ଯେ, ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ (ଫେଜ୍-୩)ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଦାଲତଗୁଡ଼ିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିଜିଟାଲ୍ କରିବା ଏବଂ ନାଗରିକମାନଙ୍କୁ ସହଜରେ ଇ-ସେବା ଉପଲବ୍ଧ କରାଇବା। ଦେଶର ଅଦାଲତଗୁଡ଼ିକରେ ଚାଲୁଥିବା ମାମଲାରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ସରକାରୀ ବିଭାଗ, ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗ (ପିଏସ୍ୟୁ) ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ଏକ ବଡ଼ ଭାଗୀଦାରି ରହିଛି।
ଏପରି ସ୍ଥିତିରେ ଏହି ବିଭାଗଗୁଡ଼ିକ ଦ୍ୱାରା ଇ-ଫାଇଲିଂ ବ୍ୟବସ୍ଥା ଗ୍ରହଣ କରାଗଲେ କାର୍ଯ୍ୟଦକ୍ଷତାରେ ବ୍ୟାପକ ଉନ୍ନତି ଆସିବା ସହ ଅଦାଲତରେ ପାରମ୍ପରିକ କାଗଜପତ୍ର ଆଧାରିତ ପ୍ରକ୍ରିୟା ଉପରେ ନିର୍ଭରଶୀଳତା ମଧ୍ୟ ଯଥେଷ୍ଟ ହ୍ରାସ ପାଇବ।
ମନ୍ତ୍ରଣାଳୟ ଅନୁଯାୟୀ, ଏହି କର୍ମଶାଳା ଦେଶରେ ଏକ ଡିଜିଟାଲ୍, କାଗଜମୁକ୍ତ ଓ ନାଗରିକକୈନ୍ଦ୍ରିକ ନ୍ୟାୟ ବ୍ୟବସ୍ଥା ପ୍ରତିଷ୍ଠା କରିବା ସହ ନ୍ୟାୟିକ ପ୍ରକ୍ରିୟାରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାରକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାର ଏକ ସ୍ପଷ୍ଟ ଉଦାହରଣ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା