
ଭୁବନେଶ୍ୱର, ୦୩ ନଭେମ୍ବର (ହି.ସ)- କୋରାପୁଟ ଜିଲ୍ଲା କୋଟିଆ ପଂଚାୟତର ନେରେଡ଼ିବାଲସା ଚେକ୍ ପୋଷ୍ଟରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୁଲିସ ମଧ୍ୟରେ ହୋଇଥିବା ମୁହାଁମୁହିଁ ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, କୋଟିଆର ସୁରକ୍ଷା ଓ ଓଡ଼ିଶାର ସ୍ୱାଭିମାନ ରକ୍ଷା ପାଇଁ କଂଗ୍ରେସ ରାଜ୍ୟବାସୀଙ୍କ ସହ ଦୃଢ଼ ଭାବେ ରହିଛି।
ଓଡ଼ିଶା ପୁଲିସ ଓ ସ୍ଥାନୀୟ ଅଧିକାରୀଙ୍କ କର୍ତବ୍ୟନିଷ୍ଠାକୁ ପ୍ରଶଂସା କରି ଶ୍ରୀ ଦାସ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଓଡ଼ିଶା ସୀମାରେ ବେଆଇନ ଅନୁପ୍ରବେଶ ଓ ଜୋରଜବରଦସ୍ତ କ୍ୟାମ୍ପ ସ୍ଥାପନରୁ ବିରତ ରହିବାକୁ ଆହ୍ୱାନ ଦେଇଛନ୍ତି। ଦୁଇ ରାଜ୍ୟର ପୁଲିସ ମଧ୍ୟରେ ସଂଘର୍ଷ ସୀମାନ୍ତ ଅଂଚଳର ଆଦିବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ୨୦୦୬ ମସିହାର ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଆଧାର କରି କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ପକ୍ଷ ରଖନ୍ତୁ ବୋଲି ସେ ଦାବି କରିଛନ୍ତି। ଏଥିସହ ଆନ୍ଧ୍ରପ୍ରଦେଶର ପଂଚାୟତ ନିର୍ବାଚନକୁ ବର୍ଜନ କରିବାକୁ କୋଟିଆବାସୀଙ୍କୁ ନିବେଦନ କରିଛନ୍ତି।
ସୀମାନ୍ତ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ସହ କୋଟିଆବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିକାଶ ପ୍ରତି ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଶ୍ରୀ ଦାସ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା