
ସମ୍ବଲପୁର, ୦୩, ନଭେମ୍ବର (ହି.ସ.) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପ ଇଣ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ତୃତୀୟ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ଓ ପାରା ଜୁଡୋ ଚାମ୍ପିଅନସିପ୍ରେ ସମ୍ବଲପୁର ଜିଲ୍ଲାର ଖେଳାଳିମାନେ ବେଶ୍ ଚମତ୍କାର ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲାରୁ ମୁଖ୍ୟ କୋଚ୍ ଇଶାନ କୁମାର ପ୍ରଧାନଙ୍କ ନେତୃତ୍ୱରେ ୧୬ ଜଣ ଦୃଷ୍ଟିହୀନ ଖେଳାଳି ଅଂଶଗ୍ରହଣ କରିଥିଲେ।ଖେଳାଳିମାନେ ନିଜର ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ କରି ୯ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ହାସଲ କରିବା ସହ ଦଳଗତ ଭାବେ ରନର୍ସଅପ୍ ଟ୍ରଫି ଅର୍ଜନ କରିଛନ୍ତି। ଏହି ଚାମ୍ପିଅନସିପ୍ରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୩୦୦ ଜଣ ଖେଳାଳି ଭାଗ ନେଇଥିଲେ।ଏହି ସଫଳତା ପରେ ସମ୍ବଲପୁରର ଦୃଷ୍ଟିହୀନ ଜୁଡୋ ଖେଳାଳିମାନେ ଆଗାମୀ ଦିନରେ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ଦଳ ସମ୍ବଲପୁର ଫେରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଜାତୀୟ ସ୍ତରରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସମସ୍ତ ଖେଳାଳିଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଜିତେନ୍ଦ୍ର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସତ୍ୟନାରାୟଣ ତାଣ୍ଡି, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ସମାଜସେବୀ ଦିଲୀପ ଦୁରିଆ, ସଙ୍ଗୀତା ପ୍ରଧାନ, ସୁଷମା ସାହୁ, ଚକ୍ରଧର ଦାସ ଓ ସୁଧୀର ପଣ୍ଡା ପ୍ରମୁଖ ଅନେକ ଜନସାଧାରଣ ଉପସ୍ଥିତ ରହି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଏହି ଯାତ୍ରାରେ ଆୟୁଷ୍ମାନ ଉଜ୍ଜ୍ୱଳ ଦାସ, ରାଜେଶ କୁମାର ନାୟକ ଓ ସୁଭଜିତ୍ ହଳଧର ପ୍ରମୁଖ କୋଚ୍ ଭାବେ ସାମିଲ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ