
ପୁରୀ,03 ନଭେମ୍ବର (ହି.ସ.)- କଳା, ଆଧ୍ୟାତ୍ମିକତା ଓ ଐତିହ୍ୟର ଏକ ସମନ୍ୱିତ ପରିକଳ୍ପନା ରୂପେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ହେବାକୁ ଯାଉଅଛି ଚିତ୍ରଶିଳ୍ପୀ ଶିବିର ନୀଳ ଶଇଳ। ତିନି ଦିନ ବ୍ୟାପୀ ଏହି ଶିବିରରେ ଶ୍ରୀଜଗନ୍ନାଥ ସଂସ୍କୃତିର ବିଭିନ୍ନ ଦିଗକୁ ଚିତ୍ରଶିଳ୍ପୀମାନେ କଳାତ୍ମକ ଅଭିବ୍ୟକ୍ତି ମାଧ୍ୟମରେ କାନଭାସ୍ ରେ ରୂପ ଦେବେ। ଏହି କ୍ରମରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଓଡ଼ିଶା ଲଳିତ କଳା ଅକାଦମୀର ପ୍ରାକ୍ତନ ସଭାପତି ତଥା ଖ୍ୟାତିସମ୍ପନ୍ନ ବାଲୁକାକଳା ଶିଳ୍ପୀ ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚିତ୍ରଶିଳ୍ପୀ ଶିବିର କମିଟିର ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସୁପ୍ରତିଷ୍ଠିତ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ବିନୋଦ ମହାରଣା, ଓଡ଼ିଶା ଲଳିତ କଳା ଅକାଦମୀର ପ୍ରାକ୍ତନ ସଚିବ ତଥା ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ା ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଲଳିତ କଳା ଅକାଦମୀର ସଚିବ ଡ. ଦେବଯାନୀ ଭୂୟାଁ ଆଭାସୀ ମାଧ୍ୟମରେ ଆଲୋଚନାରେ ଯୋଗ ଦେଇଥିଲେ। ଉକ୍ତ ଶିବିରରେ ପଦ୍ମ ପୁରସ୍କାର, ଜାତୀୟ ପୁରସ୍କାର ଏବଂ ରାଜ୍ୟ ପୁରସ୍କାର ପ୍ରାପ୍ତ ଓଡ଼ିଶାର ବଛା ବଛା ପ୍ରତିଭାସମ୍ପନ୍ନ ଚିତ୍ରଶିଳ୍ପୀମାନେ ଯୋଗ ଦେବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିତ୍ରଶିଳ୍ପୀଙ୍କ ରହଣି ଏବଂ ଆନୁଷଙ୍ଗିକ ବ୍ୟବସ୍ଥାର ଆୟୋଜନ କରାଯିବ। ଶିବିରରେ ପ୍ରସ୍ତୁତ ହୋଇଥିବା ସମସ୍ତ ପେଣ୍ଟିଂକୁ ନେଇ ଏକ କଫି ଟେବୁଲ୍ ବୁକ୍ ମଧ୍ୟ ପ୍ରକାଶିତ ହେବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ୨୦୧୪ ମସିହାରେ ନବକଳେବର ପୂର୍ବରୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଶ୍ରୀମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ପୁରୀରେ ନୀଳ କନ୍ଦର ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ ନୀଳ ଶଇଳ ଚିତ୍ରଶିଳ୍ପୀ ଶିବିର ମାଧ୍ୟମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହିମାର ପ୍ରଚାର ପ୍ରସାର ହେବା ସହ ଓଡ଼ିଶାର ଅନନ୍ୟ ସାଂସ୍କୃତିକ ପରମ୍ପରା, ପର୍ଯ୍ୟଟନ, ଐତିହ୍ୟ ଓ କଳା କାରିଗରୀର ପ୍ରସାର ହେବ। ସାଂସ୍କୃତିକ ଓ ଆଧ୍ୟାତ୍ମିକ ସହର ଭାବେ ପୁରୀର ବିଶେଷତ୍ଵକୁ ସୁଦୂରପ୍ରସାରୀ କରିବାରେ ଏହା ଏକ ଅଭିନବ ପ୍ରୟାସ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ