
ଝାରସୁଗୁଡ଼ା, ୬ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କ ଉତ୍ପାଦିତ ପନିପରିବା ସଂରକ୍ଷଣ ଓ ବିକ୍ରି ପାଇଁ ଜିଲ୍ଲାର ତିନୋଟି ପ୍ରମୁଖ ସ୍ଥାନରେ ଶୀତଳ ଭଣ୍ଡାର ସହ ଆଧୁନିକ ବଜାର କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏଥିସହ ଚାଷୀଙ୍କ ବସିବା ପାଇଁ ପିଣ୍ଡି, ସେଡ୍, ପାନୀୟ ଜଳ, ଶୌଚାଳୟ ଓ ପାର୍କିଂ ଭଳି ଆନୁଷଙ୍ଗିକ ସୁବିଧା ଉପଲବ୍ଧ ହେବ। ଏନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।
ଯୋଜନା ଅନୁଯାୟୀ, ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଥିବା ପ୍ରାୟ ଦେଢ଼ ଏକର ଜମିରେ ଏକ ବୃହତ୍ ବଜାର କମ୍ପ୍ଲେକ୍ସ ସହ ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ସେହିପରି ବିଟିଏମ୍ ଓ ସରବାହାଲଠାରେ ମଧ୍ୟ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ସହ ବଜାର କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବ ରହିଛି। ଏହି ତିନୋଟି ସ୍ଥାନରେ ଚାଷୀମାନେ ନିଜର ଉତ୍ପାଦିତ ପନିପରିବା ସଂରକ୍ଷଣ କରିବା ସହ ସୁବିଧାରେ ବିକ୍ରି କରିପାରିବେ।
ବର୍ତ୍ତମାନ ଜିଲ୍ଲାରେ ଚାଷୀଙ୍କ ପାଇଁ ସୁବ୍ୟବସ୍ଥିତ ବଜାର ଓ ସଂରକ୍ଷଣ ସୁବିଧାର ଅଭାବ ରହିଛି। ଫଳରେ ଅନେକ ଚାଷୀ ଝାରସୁଗୁଡ଼ା ସହରର ବିଭିନ୍ନ ରାସ୍ତା କଡ଼ରେ ବସି ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ଏହାଦ୍ୱାରା ଯାତାୟାତରେ ବାଧା ସୃଷ୍ଟି ହେବା ସହ ଟ୍ରାଫିକ୍ ସମସ୍ୟା ଉପୁଜୁଛି। ଅନ୍ୟପକ୍ଷରେ ସ୍ଥାୟୀ ବଜାର ବ୍ୟବସ୍ଥା ନଥିବାରୁ କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ଲକ୍ଷ୍ୟରେ ବିଧାୟକ ଶ୍ରୀ ତ୍ରିପାଠୀ ଏଭଳି ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଓ ଆରଏମସି ସମ୍ପାଦକଙ୍କ ସହ ହୋଇଥିବା ପ୍ରାଥମିକ ଆଲୋଚନାରେ ଆରଏମସି ପାଖରେ ବର୍ତ୍ତମାନ ପ୍ରାୟ ୧୦ କୋଟି ଟଙ୍କା ଉପଲବ୍ଧ ଥିବା ଜଣାପଡ଼ିଛି। ଏହି ଅର୍ଥ ଓ ଉପଲବ୍ଧ ଜମିକୁ ଉପଯୋଗ କରି ଚାଷୀଙ୍କ ସ୍ୱାର୍ଥରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ନେଇ ଆଲୋଚନା ହୋଇଛି।
ବିଶେଷକରି ବିଟିଏମ୍ ଓ ସରବାହାଲରେ ନିର୍ମାଣ ହେବାକୁ ଥିବା ଶୀତଳ ଭଣ୍ଡାରରେ ସ୍ଥାନ ଅଭାବ ହେଲେ ଚାଷୀମାନେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ନିର୍ମାଣ ହେବାକୁ ଥିବା ବୃହତ୍ ଶୀତଳ ଭଣ୍ଡାରରେ ନିଜର ଉତ୍ପାଦ ସଂରକ୍ଷିତ ରଖିପାରିବେ। ଏହି ବ୍ୟବସ୍ଥା ଦ୍ୱାରା ଚାଷୀଙ୍କ ଉତ୍ପାଦ ନଷ୍ଟ ହେବା ଆଶଙ୍କା କମିବା ସହ ସେମାନେ ଉଚିତ ସମୟରେ ଉତ୍ପାଦ ବିକ୍ରି କରି ଲାଭବାନ ହୋଇପାରିବେ।
ଏହି ତିନୋଟି ବଜାର କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ ହେଲେ ରାସ୍ତାକଡ଼ରେ ଅସ୍ଥାୟୀ ଭାବେ ବସି ବ୍ୟବସାୟ କରୁଥିବା ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏକ ସୁବ୍ୟବସ୍ଥିତ ସ୍ଥାନ ମିଳିବ। ଏଥିସହ ସହରର ଟ୍ରାଫିକ୍ ସମସ୍ୟା ହ୍ରାସ ପାଇବା ସହ ସାଧାରଣ ଲୋକଙ୍କ ଯାତାୟାତ ମଧ୍ୟ ସୁଗମ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ