
ଭୁବନେଶ୍ୱର, ୬ ନଭେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆସନ୍ତା ନଭେମ୍ବର ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆରେ ଏକ ବିଶାଳ ରାଜ୍ୟସ୍ତରୀୟ ଛାତ୍ର ସଂସଦ ପଦାଧିକାରୀ ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୮ ହଜାରରୁ ଊର୍ଦ୍ଧ୍ୱ ନିର୍ବାଚିତ ଛାତ୍ର ସଂସଦ ପଦାଧିକାରୀ ତଥା ଛାତ୍ରନେତା ଏହି ସମ୍ମିଳନୀରେ ଯୋଗଦେବେ। ଏହା ରାଜ୍ୟର ଛାତ୍ରଶକ୍ତି, ଯୁବନେତୃତ୍ୱ ଓ ଛାତ୍ର ସମାଜର ସାମୂହିକ ଭାଗିଦାରୀର ଏକ ବିଶାଳ ମଂଚ ହେବ। ଏବିଭିପିର ରାଜ୍ୟ ସମ୍ପାଦକ ଦିବ୍ୟମଣି ପ୍ରତିହାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ୟ
ସେ କହିଛନ୍ତି ସମଗ୍ର ଓଡ଼ିଶାର ବିଭିନ୍ନ କ୍ୟାମ୍ପସରେ ଏବିଭିପିର ଉଲ୍ଲେଖନୀୟ ସଫଳତା ଏବଂ ଏକପାଖିଆ ବିଜୟ ଛାତ୍ରସମାଜ ମଧ୍ୟରେ ସଂଗଠନ ପ୍ରତି ବଢ଼ୁଥିବା ଆସ୍ଥା ଓ ସମର୍ଥନର ପ୍ରତିଫଳନ। ଏହି ବିଜୟକୁ ଆଧାର କରି ଛାତ୍ରନେତୃତ୍ୱକୁ ଅଧିକ ସଶକ୍ତ କରିବା, କ୍ୟାମ୍ପସର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱରକୁ ଏକ ସୁଦୃଢ଼ ମଞ୍ଚ ପ୍ରଦାନ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅବସରରେ ଛାତ୍ରନେତାମାନେ ନିଜ ନିଜ କ୍ୟାମ୍ପସର ଅନୁଭୂତି, ଶିକ୍ଷା ବ୍ୟବସ୍ଥାର ଉନ୍ନତି, ଛାତ୍ର ସମସ୍ୟା ଓ ଭବିଷ୍ୟତର ଛାତ୍ରନେତୃତ୍ୱ ସମ୍ପର୍କରେ ମତବିନିମୟ କରିବେ।
ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ ପାତ୍ର ଏବଂ ଭୁବନେଶ୍ୱର ମହାନଗର ସମ୍ପାଦକ ଗଙ୍ଗାଧର ମାଝୀ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା