ଝାରସୁଗୁଡ଼ାରେ ମହିଳାଙ୍କ ଋତୁସ୍ରାବ ସ୍ଵଚ୍ଛତା ପାଇଁ ‘ଅଭୟା’ ଅଭିଯାନ ଆରମ୍ଭ
Abhaya-Abhijan-start-JHS
ଝାରସୁଗୁଡ଼ାରେ ମହିଳାଙ୍କ ଋତୁସ୍ରାବ ସ୍ୱଚ୍ଛତା ପାଇଁ ‘ଅଭୟା’ ଅଭିଯାନ ଆରମ୍ଭ


ଝାରସୁଗୁଡ଼ା, ୬ ନଭେମ୍ବର (ହି.ସ.)- କର୍ମକ୍ଷେତ୍ର ଓ ସାର୍ବଜନୀନ ସ୍ଥାନରେ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ସ୍ୱଚ୍ଛତା ଓ ମର୍ଯ୍ୟାଦାକୁ ଗୁରୁତ୍ୱ ଦେଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଅଭୟା’ର ଶୁଭାରମ୍ଭ ଆଜି କରାଯାଇଛି। ଏହି ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଜିଲ୍ଲା ପାଠାଗାର ଓ ସାର୍ବଜନୀନ ସ୍ଥାନରେ ସ୍ୱୟଂଚାଳିତ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ସହ ବ୍ୟବହୃତ ପ୍ୟାଡ୍ ନଷ୍ଟ କରିବା ପାଇଁ ପରିବେଶ ଅନୁକୂଳ ଇନସିନେରେଟର ସ୍ଥାପନ କରାଯାଉଛି। ଏଭଳି ବ୍ୟାପକ ବ୍ୟବସ୍ଥା ଆରମ୍ଭ କରିବାରେ ଝାରସୁଗୁଡ଼ା ଓଡ଼ିଶାର ପ୍ରଥମ ଜିଲ୍ଲା ହୋଇଥିବା ଜଣାପଡ଼ିଛି।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ମାସିକ ଋତୁସ୍ରାବ ସମୟରେ ଘର ବାହାରେ ପ୍ୟାଡ୍ ଉପଲବ୍ଧ ନ ହେବା, ଆର୍ଥିକ ସମସ୍ୟା ଓ ସାମାଜିକ ସଙ୍କୋଚ ଯୋଗୁଁ ମହିଳା ଓ ଛାତ୍ରୀମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ସମସ୍ୟାର ସମାଧାନ ସହ କର୍ମଜୀବୀ ମହିଳା ଓ ଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ, ସ୍ୱଚ୍ଛ ଓ ସମ୍ମାନଜନକ ପରିବେଶ ସୃଷ୍ଟି କରିବା ହେଉଛି ‘ଅଭୟା’ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ଏହି କାର୍ଯ୍ୟକ୍ରମର ଏକ ଉଲ୍ଲେଖନୀୟ ଦିଗ ହେଉଛି, ଜିଲ୍ଲାପାଳ ନିଜେ ଉଦ୍ଘାଟନ ନ କରି ଦୁଇ ଜଣ ଛାତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ କରାଇଥିଲେ। ବେହେରାମାଲ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ଯଶୋଦା କୁଜୁର ଓ ହଂସିକା ପ୍ରଧାନ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସାନିଟାରୀ ପ୍ୟାଡ୍ ଭେଣ୍ଡିଂ ମେସିନ୍ ଓ ଇନସିନେରେଟର ୟୁନିଟ୍ ର ଉଦ୍ଘାଟନ କରିଥିଲେ। ଏହାଦ୍ୱାରା ଏହି ଯୋଜନାର ପ୍ରକୃତ ହିତାଧିକାରୀ ଛାତ୍ରୀ ଓ ମହିଳାମାନେ ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଦିଆଯାଇଥିଲା।

ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଋତୁସ୍ରାବ ସ୍ୱଚ୍ଛତାର ଅଧିକାର ଯୋଗୁଁ କୌଣସି ମହିଳାଙ୍କ ଶିକ୍ଷା କିମ୍ବା କର୍ମଜୀବନ ପ୍ରଭାବିତ ହେବା ଉଚିତ ନୁହେଁ। ‘ଅଭୟା’ ମାଧ୍ୟମରେ ପ୍ରତ୍ୟେକ ସାର୍ବଜନୀନ ସ୍ଥାନରେ ମହିଳାଙ୍କ ସ୍ୱାସ୍ଥ୍ୟ, ସୁବିଧା ଓ ସମ୍ମାନ ସୁନିଶ୍ଚିତ କରିବା ପ୍ରଶାସନର ଲକ୍ଷ୍ୟ। ଜରୁରୀ ସମୟରେ ଯେପରି ମହିଳାମାନେ ବିନା ସଙ୍କୋଚରେ ସୁଲଭ ମୂଲ୍ୟରେ ପ୍ୟାଡ୍ ପାଇପାରିବେ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏହାସହ ବ୍ୟବହୃତ ପ୍ୟାଡ୍ ର ସୁରକ୍ଷିତ ନିଷ୍କାସନ ଦ୍ୱାରା ସଫେଇ କର୍ମଚାରୀଙ୍କ କାର୍ଯ୍ୟ ପରିବେଶ ମଧ୍ୟ ସୁରକ୍ଷିତ ହୋଇପାରିବ।

ଜିଲ୍ଲା ପାଠାଗାର ଓ ସଂସ୍କୃତି ଭବନ ଭଳି ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ପରେ ଛାତ୍ରୀମାନଙ୍କ ମଧ୍ୟରେ ଏହାକୁ ନେଇ ସନ୍ତୋଷ ପ୍ରକାଶ ପାଇଛି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପାଠାଗାରକୁ ଆସୁଥିବା ଛାତ୍ରୀମାନେ ଏହାଦ୍ୱାରା ବେଶ୍ ଉପକୃତ ହେବେ। ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରୀ ଚିକି ମାଝୀ କହିଛନ୍ତି ଯେ, ଅନେକ ଛାତ୍ରୀ ପ୍ରତିଦିନ ୭ରୁ ୧୦ କିଲୋମିଟର ଦୂରରୁ ଆସି ପାଠାଗାରରେ ୮ରୁ ୧୦ ଘଣ୍ଟା ପାଠ ପଢ଼ିଥାନ୍ତି। ହଠାତ୍ ଋତୁସ୍ରାବ ହେଲେ ପ୍ୟାଡ୍ ଅଭାବରୁ ପାଠପଢ଼ା ଅଧାରୁ ଛାଡ଼ି ଘରକୁ ଫେରିବାକୁ ପଡ଼ୁଥିଲା। ଏବେ ଶୌଚାଳୟ ଭିତରେ ଭେଣ୍ଡିଂ ମେସିନ୍ ଓ ଇନସିନେରେଟର ରହିଥିବାରୁ ସେହି ସମସ୍ୟା ଦୂର ହେବା ସହ ନିର୍ବିଘ୍ନରେ ପାଠପଢ଼ିବା ସମ୍ଭବ ହେବ।

ପ୍ରଶାସନ ପକ୍ଷରୁ ଜଣାଯାଇଛି ଯେ, ସରକାରୀ ଇ-ମାର୍କେଟପ୍ଲେସ୍ ପୋର୍ଟାଲ ମାଧ୍ୟମରେ ଉଚ୍ଚମାନର ଭେଣ୍ଡିଂ ମେସିନ୍ ସଂଗ୍ରହ କରାଯାଇଛି। ଏହି ମେସିନ୍ ରୁ ଟୋକନ୍ କିମ୍ବା ମାତ୍ର ୧୦ ଟଙ୍କା ଦେଇ ଦୁଇଟି ସାନିଟାରୀ ପ୍ୟାଡ୍ ମିଳିପାରିବ। ପ୍ରତ୍ୟେକ ମେସିନ୍ ସହ ସଂଯୁକ୍ତ ଇନସିନେରେଟରରେ ବ୍ୟବହୃତ ପ୍ୟାଡ୍ କୁ ନଷ୍ଟ କରାଯିବ। ଫଳରେ ଡ୍ରେନେଜ୍ ଜାମ୍, ଦୁର୍ଗନ୍ଧ ଓ ଅସ୍ୱାସ୍ଥ୍ୟକର ପରିବେଶ ରୋକିବା ସହ ସଫେଇ କର୍ମଚାରୀଙ୍କୁ ବ୍ୟବହୃତ ପ୍ୟାଡ୍ ହାତରେ ଉଠାଇବାରୁ ମୁକ୍ତି ମିଳିବ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପିଡି (ଆର୍ ଆଣ୍ଡ ଆର୍) ଲଳିତ ସୋରେଙ୍ଗ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣକେଶୀ ବଳିୟାରସିଂହ, ଜିଲ୍ଲା ମଙ୍ଗଳ ଅଧିକାରୀ ଜୟଶ୍ରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ନାୟକ, ଓଏଲ୍ଏମ୍ ଡିପିଏମ୍ ଡକ୍ଟର ପୁଷ୍ପଶ୍ରୀ ନାଏକ, ଡେପୁଟି କଲେକ୍ଟର ସୌମେଶ ଆଚାର୍ଯ୍ୟ ଓ ଅମୃତ ଆଚାର୍ଯ୍ୟଙ୍କ ସମେତ ସେହେଡ଼ା ନିର୍ଦ୍ଦେଶିକା ଆନନ୍ଦିନୀ ପାଢ଼ୀ, ପ୍ରୋଗ୍ରାମ ମ୍ୟାନେଜର ଜୟଶ୍ରୀ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡେପୁଟି ମ୍ୟାନେଜର ଅଶ୍ୱିନୀ ମହାନନ୍ଦା, ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ସହ ବହୁ ଛାତ୍ରୀ ଉପସ୍ଥିତ ଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଏହି ସୁବିଧା ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ପାଠାଗାର, ମହିଳା ହଷ୍ଟେଲ ଓ ଛାତ୍ରୀନିବାସକୁ ଏହା ସମ୍ପ୍ରସାରିତ କରାଯିବ। ମହିଳାଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନକୁ ସାଧାରଣ ନାଗରିକ ଭିତ୍ତିଭୂମିର ଅଂଶ କରିବା ଦିଗରେ ‘ଅଭୟା’ ଅଭିଯାନ ଝାରସୁଗୁଡ଼ା ଜିଲ୍ଲାକୁ ରାଜ୍ୟରେ ଏକ ଅନୁକରଣୀୟ ଦୃଷ୍ଟାନ୍ତ ଭାବେ ପରିଚିତ କରିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande