
କେନ୍ଦୁଝର, ୦୬ ନଭେମ୍ବର(ହି.ସ.) – ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଉଲ୍ଲେଖନୀୟ ସଫଳତା ହାସଲ କରି ଗୌରବ ଆଣିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିକିରା, ଘଟଗାଁ ବ୍ଲକ୍ରେ ମେଧାବୀ ଛାତ୍ରୀ ଆଦ୍ୟାଶା ଆଦିପ୍ରଜ୍ଞା। ସେ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ବେଳେ ସଙ୍ଗୀତ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏହି ଦ୍ୱିମୁଖୀ ସଫଳତା ବିଦ୍ୟାଳୟ, ଅଂଚଳ ତଥା ପରିବାର ପାଇଁ ଗୌରବ ଆଣିଦେଇଛି। ଆଦ୍ୟାଶାଙ୍କ ମାଆ ରାଜଶ୍ରୀ ସେଠୀ ଘଟଗାଁସ୍ଥିତ ତାରିଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ହୋଇଥିବା ବେଳେ ତାଙ୍କ ବାପା ଶିବନାରାୟଣ ସେଠୀ ଢେଙ୍କିକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠ ଫାର୍ମାସି ଅଫିସର ଭାବେ କାର୍ଯ୍ୟରତ। ଶିକ୍ଷା ଓ ସଂସ୍କାରମୟ ପାରିବାରିକ ପରିବେଶରେ ବଢ଼ିଥିବା ଆଦ୍ୟାଶା ପାଠପଢ଼ା ସହିତ ସଙ୍ଗୀତ ଓ ବକ୍ତୃତା କ୍ଷେତ୍ରରେ ମଧ୍ୟ ନିଜର ପ୍ରତିଭାର ପରିଚୟ ଦେଇଆସୁଛନ୍ତି। ସେ ଜଣେ ମେଧାବୀ ଛାତ୍ରୀ ହେବା ସହ ଜଣେ ସୁଗାୟିକା ଭାବେ ପୂର୍ବରୁ ମଧ୍ୟ ଅନେକ ଥର ପୁରସ୍କୃତ ହୋଇଛନ୍ତି। ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ, ଅଭିଭାବକ ଓ ଅଂଚଳବାସୀ ଖୁସିବ୍ୟକ୍ତ କରିବା ସହ ଆଦ୍ୟାଶାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟସ୍ତରରେ ମଧ୍ୟ ସେ ନିଜର ପ୍ରତିଭାର ଛାପ ଛାଡ଼ି ଆହୁରି ସଫଳତା ହାସଲ କରନ୍ତୁ ବୋଲି ସମସ୍ତେ ଶୁଭକାମନା ଜଣାଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA