ମୟୂରଭଞ୍ଜରେ ଆବାସିକ ସ୍କୁଲରେ ଛାତ୍ରୀ ପ୍ରସବ ଘଟଣା , ବିଜେପି ସରକାରର ଅପାରଗତା ପାଇଁ ଶୈକ୍ଷିକ ବାତାବରଣ କଳୁଷିତ ହେଉଛି: ବିଜେଡି
ଭୁବନେଶ୍ବର , 06 ନଭେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଏକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ରହୁଥିବା ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ସନ୍ତାନ ପ୍ରସବ କରିବା ଘଟଣାକୁ ତ
ମୟୂରଭଞ୍ଜରେ ଆବାସିକ ସ୍କୁଲରେ ଛାତ୍ରୀ ପ୍ରସବ ଘଟଣା , ବିଜେପି ସରକାରର ଅପାରଗତା ପାଇଁ ଶୈକ୍ଷିକ ବାତାବରଣ କଳୁଷିତ ହେଉଛି: ବିଜେଡି


ଭୁବନେଶ୍ବର , 06 ନଭେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଏକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ରହୁଥିବା ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ସନ୍ତାନ ପ୍ରସବ କରିବା ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଆଦିବାସୀ ସେଲ୍ ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି କହିଥିଲେ ଯେ, ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଉପରେ ଆଦିବାସୀ ସମାଜ ରଖିଥିବା ଆଶା ଓ ଭରସା ପାଣି ଫୋଟକା ଭଳି ମିଳେଇ ଯାଉଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଥିବା ସତ୍ତ୍ୱେ ଛାତ୍ରାବାସ କର୍ତ୍ତୃପକ୍ଷ ଏହା କିପରି ଜାଣିପାରିଲେ ନାହିଁ ? ସରକାରଙ୍କ ଅପାରଗତା ଲାଗି ଆବାସିକ ସ୍କୁଲରେ ଆଦିବାସୀ ଛାତ୍ରୀଙ୍କ ଉପରେ ଅତ୍ୟାଚାର ହେଉଛି । ଏହି ଘଟଣାରେ କେବଳ ପ୍ରଧାନଶିକ୍ଷକଙ୍କୁ ନିଲମ୍ୱନ କରି ସରକାର ନିଜ ଦାୟିତ୍ୱ ସାରିଦେବାକୁ ଚେଷ୍ଟା କରୁଛନ୍ତି । ଏହି ଅକ୍ଷମଣୀୟ ଅବହେଳା ପାଇଁ ଦାୟୀ ସମସ୍ତ ଅଧିକାରୀଙ୍କୁ ତୁରନ୍ତ ବରଖାସ୍ତ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ବିଜେପି ସରକାରରେ ଆଶ୍ରମ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରାବାସ ପରିଚାଳନାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେଉଛି । ସରକାରଙ୍କ ସମନ୍ୱୟ ଅଭାବରୁ ଛାତ୍ରାବାସ ଗୁଡ଼ିକରେ ଆଦିବାସୀ ଛାତ୍ରୀଙ୍କ ପ୍ରତି ବାରମ୍ୱାର ଯୌନ ହିଂସା ଘଟଣା ବୃଦ୍ଧି ପାଉଛି । ଆଦିବାସୀ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ । ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ଉଭୟେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଏଭଳି ଉଦ୍ବେଗଜନକ ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଅନ୍ତୁ । ଶିକ୍ଷାନୁଷ୍ଠାନ ଗୁଡ଼ିକରେ କୌଣସି ଛାତ୍ରୀ ଯେପରି ଅସୁରକ୍ଷିତ ନ ରୁହନ୍ତି, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ରାଜ୍ୟ ସରକାର ।

ଶ୍ରୀ ସାଲୁଗା ପ୍ରଧାନ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ଆଦିବାସୀ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସରକାରଙ୍କ ଦାୟିତ୍ୱହୀନତା ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଛାତ୍ରୀ ମାନେ ଦୁଷ୍କର୍ମର ଶିକାର ହୋଇ ପ୍ରସବ କରିବା ଭଳି ସ୍ପର୍ଶକାତର ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ ସମ୍ପ୍ରଦାୟର । ଏହା ସତ୍ତ୍ୱେ ଆଦିବାସୀ ଛାତ୍ରୀମାନେ ବିଦ୍ୟାଳୟରେ ଅସୁରକ୍ଷିତ ରହିବା ଅତ୍ୟନ୍ତ ଦୁଃଖଦାୟକ । ସରକାର ସମସ୍ତ ଆଦିବାସୀ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ଶୈକ୍ଷିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଛାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ । ଆଦିବାସୀ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ କୌଣସି ପରିସ୍ଥିତିରେ ସାଲିସ୍ କରାଯାଇପାରିବ ନାହିଁ । ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହେବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande