ବ୍ରଜରାଜନଗର ପୁଲିସକୁ ବଡ଼ ସଫଳତା: ୪ ଚୋରି ବାଇକ୍ ଉଦ୍ଧାର, ୨ ଗିରଫ
Brajrajnagar police caught two thief
ବ୍ରଜରାଜନଗର ପୁଲିସକୁ ବଡ଼ ସଫଳତା: ୪ ଚୋରି ବାଇକ୍ ଉଦ୍ଧାର, ୨ ଗିରଫ


ସିସିଟିଭି ଫୁଟେଜ୍ରୁ ମିଳିଲା ଚୋରଙ୍କ ସୁରାକ୍, ମୁଖ୍ୟ ଅଭିଯୁକ୍ତ ନାମରେ ୧୧ଟି ମାମଲା

ଝାରସୁଗୁଡା, 06 ନଭେମ୍ବର (ହି.ସ.)ବ୍ରଜରାଜନଗର ପୁଲିସକୁ ମିଳିଛି ବଡ଼ ସଫଳତା। ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୪ଟି ମୋଟରସାଇକେଲ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍ଟିପିସି ରାଇଡିହିର ରିଙ୍କୁ କଲେତ ଓରଫ ବାଗିରା (୨୮) ଏବଂ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଲେଲୁଙ୍ଗା ଥାନା ଅନ୍ତର୍ଗତ ପିପରାହି ଗ୍ରାମର ସୁଧନାଥ ଜାଟୱାର (୨୨)। ତେବେ ମୁଖ୍ୟ ଅଭିଯୁକ୍ତ ରିଙ୍କୁଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୧୧ଟି ଚୋରି ଓ ଅନ୍ୟାନ୍ୟ ଅପରାଧ ସମ୍ପର୍କିତ ମାମଲା ରହିଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁଯାୟୀ, ବ୍ରଜରାଜନଗର ଅଞ୍ଚଳର ମହେଶ ମୁଲିଙ୍କ ଘର ସମ୍ମୁଖରେ ରଖାଯାଇଥିବା ତାଙ୍କ ବଜାଜ୍ ଡିସ୍କଭର ମୋଟରସାଇକେଲକୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ଏନେଇ ଅଭିଯୋଗ ପରେ ବ୍ରଜରାଜନଗର ଥାନାରେ କେସ୍ ନଂ ୨୫୭, ତାରିଖ ୪.୧୧.୨୦୨୬ରେ ବିଏନ୍ଏସ୍ର ଧାରା ୩୦୩(୨) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଞ୍ଚଳର ବିଭିନ୍ନ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଏଥିରୁ ମିଳିଥିବା ସୁରାକ୍ ଆଧାରରେ ଗାନ୍ଧୀଛକରୁ ରିଙ୍କୁ କଲେତକୁ କାବୁ କରିବା ସହ ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିଥିଲା।

ରିଙ୍କୁକୁ ପଚରାଉଚରା କରିବା ପରେ ରାମପୁର କୋଲିୟାରୀ ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଲୁଚାଇ ରଖାଯାଇଥିବା ଆଉ ଦୁଇଟି ଚୋରି ମୋଟରସାଇକେଲ ଜବତ ହୋଇଥିଲା। ସେହିପରି ଛତିଶଗଡ଼ର ରାୟଗଡ଼ରେ ରହୁଥିବା ଅନ୍ୟ ଅଭିଯୁକ୍ତ ସୁଧନାଥ ଜାଟୱାରଙ୍କ ନିକଟରୁ ଆଉ ଗୋଟିଏ ବାଇକ୍ ଉଦ୍ଧାର କରାଯାଇଥିଲା। ଏହିପରି ମୋଟ ୪ଟି ମୋଟରସାଇକେଲ ପୁଲିସ ଜବତ କରିଛି। ଜବତ ବାଇକ୍ଗୁଡ଼ିକ ମଧ୍ୟରେ ଓଡି-୨୩-ବି-୪୪୫୪ ନମ୍ବର ବିଶିଷ୍ଟ ବଜାଜ୍ ଡିସ୍କଭର, ଓଡି-୨୩-ଏଫ୍-୧୭୩୫ ନମ୍ବର ବିଶିଷ୍ଟ ବଜାଜ୍ ପଲସର ଏବଂ ନମ୍ବର ପ୍ଲେଟ୍ ନଥିବା ଦୁଇଟି ହିରୋ ଏଚ୍ଏଫ୍ ଡିଲକ୍ସ ରହିଛି।

ପୁଲିସର ସୂଚନା ଅନୁସାରେ, ଗିରଫ ରିଙ୍କୁ କଲେତ ଜଣେ ଅଭ୍ୟାସଗତ ଅପରାଧୀ। ତା ନାମରେ ଝାରସୁଗୁଡ଼ା, ବ୍ରଜରାଜନଗର, ରେଙ୍ଗାଲି, ବଡ଼ମାଲ ଓ ଲେଫ୍ରିପଡ଼ା ଥାନାରେ ଚୋରି ସମେତ ବିଭିନ୍ନ ଅପରାଧ ସମ୍ପର୍କିତ ମୋଟ ୧୧ଟି ମାମଲା ରହିଛି। ୨୦୧୭, ୨୦୧୯, ୨୦୨୨, ୨୦୨୪ ଓ ୨୦୨୫ ମସିହାରେ ତାଙ୍କ ବିରୋଧରେ ଏହି ମାମଲାଗୁଡ଼ିକ ରୁଜୁ ହୋଇଥିଲା। ଏପରିକି ବ୍ରଜରାଜନଗର ଥାନାର ୨୦୨୫ ମସିହାର ଏକ ମାମଲାରେ ବିଏନ୍ଏସ୍ର ଧାରା ୩୧୦(୪), ୩୧୦(୫), ୧୧୧ ସହ ଆର୍ମସ୍ ଆକ୍ଟର ଧାରା ୨୫ ମଧ୍ୟ ଲାଗୁ ହୋଇଥିଲା।

ଉଭୟ ଅଭିଯୁକ୍ତଙ୍କୁ ନଭେମ୍ବର ୬ ତାରିଖରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏହି ମାମଲାରେ ବିଏନ୍ଏସ୍ର ଧାରା ୩୦୩(୨)/୩୧୭(୨) ଅନୁଯାୟୀ ତଦନ୍ତ ଜାରି ରହିଛି। ବିଶେଷକରି ନମ୍ବର ପ୍ଲେଟ୍ ନଥିବା ଦୁଇଟି ବାଇକ୍ର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ସହ ଅଞ୍ଚଳର ଅନ୍ୟ ବାଇକ୍ ଚୋରି ଘଟଣାରେ ଅଭିଯୁକ୍ତଦ୍ୱୟଙ୍କ ସମ୍ପୃକ୍ତି ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande