ପାଞ୍ଚ ବର୍ଷ ବିତିଲା, ସରୁନି ତିନି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ
Demand to renovate pond
ପାଞ୍ଚ ବର୍ଷ ବିତିଲା, ସରୁନି ତିନି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ


ଝାରସୁଗୁଡା, ୬ ନଭେମ୍ବର (ହି.ସ.)- ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ରେମଜା ଗାଁମୁଣ୍ଡରେ ଥିବା ତିନୋଟି ପ୍ରମୁଖ ଜଳାଶୟ ଶୁଖାବନ୍ଧ, ବଡ଼ବନ୍ଧ ଓ କଣ୍ଟାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଞ୍ଚ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏଥିପାଇଁ ଏହି ଜଳାଶୟ ଉପରେ ନିର୍ଭରଶୀଳ ପ୍ରାୟ ୫ ହଜାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପଟେ ଜଳସେଚନ ସୁବିଧା ନଥିବାରୁ ଚାଷୀମାନେ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

୧୯, ୨୦ ଓ ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ଅଭୟପୁର, ରେମଜା, ଶାସ୍ତ୍ରୀନଗର, ଗଣେଶନଗର ଓ କଲେଜପଡ଼ାର ବାସିନ୍ଦାମାନେ ଏହି ତିନିଟି ପୋଖରୀ ଉପରେ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି। ସ୍ନାନ, ଶୌଚ, ପୂଜାପାଠ ସହିତ ଦଶାହ ଭଳି ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଏହି ଜଳାଶୟଗୁଡ଼ିକର ଗୁରୁତ୍ୱ ରହିଛି। ଏଥିସହ ଖରାଦିନେ ଚାଷୀମାନେ ଏହି ପୋଖରୀରୁ ପାଣି ନେଇ ତଳମୁଣ୍ଡର ଚାଷଜମିରେ ଜଳସେଚନ କରୁଥିଲେ।

ଏହି ତିନୋଟି ଜଳାଶୟର ପଙ୍କୋଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଶୁଖାବନ୍ଧ ପାଇଁ ୮୭ ଲକ୍ଷ ୫୪ ହଜାର, ବଡ଼ବନ୍ଧ ପାଇଁ ୨ କୋଟି ୧୬ ଲକ୍ଷ ଏବଂ କଣ୍ଟା ପାଇଁ ୩ କୋଟି ୪୩ ଲକ୍ଷ ୬୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ପ୍ରକଳ୍ପ ଅନୁଯାୟୀ ପୋଖରୀରୁ ପଙ୍କ ଉଦ୍ଧାର, ସୁବ୍ୟବସ୍ଥିତ ଗାଧୁଆ ଘାଟ, ପାଚେରି ନିର୍ମାଣ, ଡଷ୍ଟବିନ୍ ସ୍ଥାପନ, ଆଲୋକୀକରଣ, ବନ୍ଧ ଓ ହିଡ଼ର ସୌନ୍ଦର୍ଯ୍ୟକରଣ, ଗୋଷ୍ଠୀ ଶୌଚାଳୟ ଏବଂ ଗଭୀର ନଳକୂଅ ଖନନ ଭଳି କାର୍ଯ୍ୟ କରାଯିବାର ଯୋଜନା ଥିଲା।

୨୦୨୦ ମସିହାରେ ଏହି ତିନୋଟି ଜଳାଶୟରୁ ପାଣି ନିଷ୍କାସନ କରାଯିବା ପରେ ମାର୍ଚ୍ଚ ୫ ତାରିଖରେ ଭୂମିପୂଜା ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ମଝିରେ କୋଭିଡ୍ ମହାମାରୀ ଯୋଗୁଁ କିଛିଦିନ କାମ ବନ୍ଦ ରହିଥିଲେ ମଧ୍ୟ ପରେ ପୁନର୍ବାର ନିର୍ମାଣ କାର୍ଯ୍ୟ ଚାଲୁ ହୋଇଥିଲା। ତେବେ କାର୍ଯ୍ୟର ମାନକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇବା ପରେ ଏମ୍ଆର୍ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ତଦନ୍ତ କରାଯାଇଥିଲା। ତଦନ୍ତରେ ପ୍ରକଳ୍ପରେ ବେଆଇନ କାର୍ଯ୍ୟ ହୋଇନଥିବା ଦର୍ଶାଯାଇଥିଲେ ମଧ୍ୟ ବାସ୍ତବରେ ନିର୍ମାଣ କାର୍ଯ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ।

ବଡ଼ବନ୍ଧରେ ପାଚେରି ନିର୍ମାଣ ଅଧାରେ ଅଟକି ରହିଥିବାବେଳେ ଶୁଖାବନ୍ଧରେ ମଧ୍ୟ ଅଳ୍ପ କିଛି ପାଚେରି ନିର୍ମାଣ ହୋଇଛି। ତିନି ପାର୍ଶ୍ୱରେ ବନ୍ଧ ନିର୍ମାଣ ହୋଇଥିଲେ ମଧ୍ୟ ଏହାର ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇନଥିବାରୁ ଜଳ ସଂରକ୍ଷଣ ଓ ଜଳସେଚନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ପୂର୍ବରୁ ଖରାଦିନେ ଚାଷୀମାନେ ଏହି ପୋଖରୀର ପାଣି ବ୍ୟବହାର କରି ଚାଷ କରୁଥିଲେ। କିନ୍ତୁ ଏବେ ବନ୍ଧ କଟାଯାଉଥିବାରୁ ପାଣି ରହୁନାହିଁ। ଫଳରେ ଚାଷୀଙ୍କ ପାଇଁ ଜଳସେଚନ ସମସ୍ୟା ଗୁରୁତର ହୋଇଛି। ଅପରପକ୍ଷେ ବର୍ଷାଦିନେ ଉପରମୁଣ୍ଡରୁ ଆସୁଥିବା ବର୍ଷାଜଳ ବନ୍ଧର ତଳମୁଣ୍ଡରେ ଥିବା ଚାଷଜମିରେ ପ୍ରବେଶ କରି ଫସଲ ନଷ୍ଟ କରୁଛି। ଏଭଳି ସ୍ଥିତିରେ ଜଳାଶୟ ଉପରେ ନିର୍ଭରଶୀଳ ଲୋକଙ୍କ ଅସନ୍ତୋଷ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କିଛିଦିନ ତଳେ ପୌରାଧ୍ୟକ୍ଷ ଗୋପାଳ ସିତାନୀ ଓ ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଘଟଣାସ୍ଥଳ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଲୋକଙ୍କ ଦାବି ଓ ସମସ୍ୟାକୁ ବିଚାରକୁ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ପୋଖରୀରୁ ପାଣି ଶୁଖିବା ପରେ ଆବଶ୍ୟକ କାର୍ଯ୍ୟ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ପାଞ୍ଚ ବର୍ଷ ପରେ ମଧ୍ୟ ପ୍ରକଳ୍ପ ଅଧାପନ୍ତରିଆ ରହିଥିବାରୁ ମଞ୍ଜୁର ଅର୍ଥର ସଦୁପଯୋଗ ଓ ନିର୍ମାଣ କାର୍ଯ୍ୟର ସମୟବଦ୍ଧ ସମାପ୍ତି ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande