ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩ଟି ରାସ୍ତାର ଶିଳାନ୍ୟାସ
Foundation stone by MLA
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩ଟି ରାସ୍ତାର ଶିଳାନ୍ୟାସ


ଗ୍ରାମାଂଚଳର ଯୋଗାଯୋଗ ବ୍ୟବସ୍ଥା ହେବ ସୁଦୃଢ଼ : ବିଧାୟକ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା, ୬ ନଭେମ୍ବର (ହି.ସ.) : ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ଗ୍ରାମାଂଚଳରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ୩ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି। ଶୁକ୍ରବାର ଝାରସୁଗୁଡ଼ା ସଦର ବ୍ଲକରେ ବିଧାୟକ ଟଙ୍କଧର ତ୍ରିପାଠୀ ଏହି ପ୍ରକଳ୍ପଗୁଡ଼ିକର ଭିତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ଯୋଜନାରେ ଓଏସ୍ପିଏଲ୍ କମ୍ପାନୀଠାରୁ ପୁଢ଼ାମାଲ ପର୍ଯ୍ୟନ୍ତ, ପୁରୁଣା କାଲୋପଡ଼ାଠାରୁ ପୁରୁଣା ତାଳପଟିଆ ପର୍ଯ୍ୟନ୍ତ ଏବଂ ବୁଢ଼ିପଦରଠାରେ ଅରବିନ୍ଦ ବାରିକଙ୍କ ଘରଠାରୁ ଇବ୍ ନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତାଗୁଡ଼ିକ ନିର୍ମାଣ ହେବା ଦ୍ୱାରା ସ୍ଥାନୀୟ ଅଂଚଳର ଲୋକଙ୍କ ଯାତାୟାତ ସମସ୍ୟା ଦୂର ହେବା ସହ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବ।

ଏହି ଅବସରରେ ବିଧାୟକ ତ୍ରିପାଠୀ କହିଥିଲେ ଯେ, ଗ୍ରାମାଂଚଳରେ ଉନ୍ନତ ସଡ଼କ ଭିତିଭୂମି ନିର୍ମାଣ ସରକାରଙ୍କ ପ୍ରାଥମିକତା। ଭଲ ରାସ୍ତା ଯୋଗୁଁ କେବଳ ଯାତାୟାତ ସୁଗମ ହେବ ନାହିଁ, ବରଂ ଗ୍ରାମାଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ନୂତନ ଗତି ମିଳିବ। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଅଂଚଳରେ ମୌଳିକ ସୁବିଧାର ବିକାଶ ସହ ଉନ୍ନୟନମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ।

କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଲେଙ୍କା, ଝାରସୁଗୁଡ଼ା ମଣ୍ଡଳ ସଭାପତି ହେମରଞ୍ଜନ ସିଂଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande