
ଝାରସୁଗୁଡ଼ା, ୦୬ ନଭେମ୍ବର (ହି.ସ.):ଓଡ଼ିଶାର ଗ୍ରାମାଞ୍ଚଳ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଗୁଣାତ୍ମକ କରିବା ଦିଗରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରି ତୃତୀୟ ପର୍ଯ୍ୟାୟରେ ଆଜି ଝାରସୁଗୁଡ଼ା ଜିଲ୍ଲାର ୯ଟି ବିଦ୍ୟାଳୟ ଯଥା ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡ଼ମାଳ, ସରକାରୀ ଉଚ୍ଚ ବିଦ୍ୟାଳୟ ପତ୍ରାପାଲି, ସରକାରୀ ଉଚ୍ଚ ବିଦ୍ୟାଳୟ ହିର୍ମା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାତିକେଲା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜମେରା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକ୍ତିମାଲ, ତୁଳସୀ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟ ତିଲିଆ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଘମୁଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟ ପିଥିଣ୍ଡାଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଭାସୀ ମାଧ୍ୟମରେ ଏହି ଶୁଭାରମ୍ଭ କରାଯାଇଥିଲା। ଏହି କ୍ରମରେ ରାଜ୍ୟରେ ୬୩୦ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏ ଅବସରରେ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡ଼ମାଳଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ୱାଣ, ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିନିଧି ନବଲ ଅଗ୍ରୱାଲ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି ଶ୍ଳୋକ ଶର୍ମା, ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଝାରସୁଗୁଡା ବିଇଓ ରବୀନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏଥିରେ ସମସ୍ତ ସିଆରସିସି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଏହି ଅଭିନବ ପଦକ୍ଷେପ ଓଡ଼ିଶାର ଗ୍ରାମାଞ୍ଚଳ ଶିକ୍ଷାର ଉନ୍ନତି କ୍ଷେତ୍ରରେ ନୂତନ ଆଶା ଓ ସମ୍ଭାବନା ସୃଷ୍ଟି କରିବା ସହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାର ସୁଯୋଗ ପ୍ରଦାନ କରିବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ମତପ୍ରକାଶ କରିଥିଲେ । ଏହି ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଜିଲ୍ଲାର ଶିକ୍ଷା ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ