
ଝାରସୁଗୁଡ଼ା, ୬ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ଶ୍ରୀପୁରା ଗ୍ରାମରେ ଗୁରୁବାର ରାତିରେ ଗଜଲକ୍ଷ୍ମୀ ପୂଜା ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାକୁ ନେଇ ସମଗ୍ର ଗ୍ରାମରେ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପୂଜା ମହୋତ୍ସବର ଗୁରୁବାର ସନ୍ଧ୍ୟାରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ ଗଜଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ପୂଜା କମିଟି ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଚିତ୍ରାଣୀ ପଟେଲ, ଶ୍ରୀପୁରା ସରପଞ୍ଚ ଯଶୋବନ୍ତୀ ପାଣ୍ଡେ, ଜିଲ୍ଲା ପରିଷଦ ସଭ୍ୟ ଦିଗମ୍ବର ହୋଇ, ବ୍ଲକ ସଭାପତି ଦାମୋଦର ନାଥ, ତ୍ରିନାଥ ତ୍ରିପାଠୀ, ଦେବେନ୍ଦ୍ର ପଣ୍ଡା ଓ ପ୍ରଭାତ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ପୂଜା ଅବସରରେ ଆୟୋଜିତ ଭବ୍ୟ ସାଂସ୍କୃତିକ ସନ୍ଧ୍ୟା ଉତ୍ସବର ଆକର୍ଷଣ ପାଲଟିଥିଲା। ପ୍ରସିଦ୍ଧ କଳାକାର ଅମୃତା ନାୟକ, ଜୟଶ୍ରୀ ଷଡ଼ଙ୍ଗୀ ଓ ଉମାକାନ୍ତ ବାରିକଙ୍କ ସୁମଧୁର ସଙ୍ଗୀତ ପରିବେଷଣରେ ଦର୍ଶକ ବିଭୋର ହୋଇଥିଲେ। ଶ୍ରୀପୁରା, ବଡ଼ମାଲ, କାତିକେଲା ସମେତ ସମ୍ବଲପୁର ଓ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଜନସାଧାରଣ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ମଜା ନେଇଥିଲେ। ପୂଜା ଆୟୋଜନରେ କମିଟିର ରଞ୍ଜିତ ତ୍ରିପାଠୀ, ଅମ୍ରେଶ ନାୟକଙ୍କ ସମେତ କମିଟିର ବହୁ ସଦସ୍ୟ ଓ ଗ୍ରାମର ଯୁବକମାନେ ସକ୍ରିୟ ସହଯୋଗ କରିଥିଲେ। ସିଲୁ ଦୀକ୍ଷିତ କର୍ତ୍ତା ଭାବେ ପୂଜାକାର୍ଯ୍ୟ ତୁଲାଇଥିଲେ। ସମସ୍ତଙ୍କ ମିଳିତ ସହଯୋଗରେ ପୂଜା ମହୋତ୍ସବ ଶାନ୍ତିଶୃଙ୍ଖଳା ଓ ଆନନ୍ଦମୟ ପରିବେଶରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ