ଯୁବ କଣ୍ଠରୁ ରାଷ୍ଟ୍ରୀୟ ସଂକଳ୍ପ; ମେରେ ଭାରତ ଝାରସୁଗୁଡ଼ା ପକ୍ଷରୁ ଯୁବ ସମ୍ବାଦ ଓ ଜିଲ୍ଲାସ୍ତରୀୟ ଯୁବ ସଂସଦ ଅନୁଷ୍ଠିତ
My Bharat program held in Jharsuguda
ଯୁବ କଣ୍ଠରୁ ରାଷ୍ଟ୍ରୀୟ ସଂକଳ୍ପ; MY Bharat ଝାରସୁଗୁଡ଼ା ପକ୍ଷରୁ ଯୁବ ସମ୍ବାଦ ଓ ଜିଲ୍ଲାସ୍ତରୀୟ ଯୁବ ସଂସଦ ଅନୁଷ୍ଠିତ


ଝାରସୁଗୁଡ଼ା, ୬ ନଭେମ୍ବର (ହି.ସ.)- କେନ୍ଦ୍ର ସରକାରଙ୍କ 'ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍' ପଦକ୍ଷେପ ଅଧୀନରେ ମେରେ ଭାରତ ଝାରସୁଗୁଡ଼ା ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ପରିସରରେ 'ଯୁବ ସମ୍ବାଦ' ଏବଂ ଜିଲ୍ଲାସ୍ତରୀୟ 'ବିକଶିତ ଭାରତ ଯୁବ ସଂସଦ' ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କ ନେତୃତ୍ୱ ଦକ୍ଷତା ବିକାଶ, ଗଣତାନ୍ତ୍ରିକ ଚିନ୍ତନକୁ ଉତ୍ସାହିତ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ସକ୍ରିୟ ଯୋଗଦାନକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୮ ରୁ ୨୫ ବର୍ଷ ବୟସର ବହୁ ଯୁବକ-ଯୁବତୀ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଷୟବସ୍ତୁ ଉପରେ କେନ୍ଦ୍ରୀଭୂତ ଥିଲା।ଏଥିରେ ଭାଗ ନେଇଥିବା ପ୍ରତିଯୋଗୀମାନେ ନିଜ ନିଜର ଦୃଷ୍ଟିକୋଣ, ଯୁକ୍ତି ଓ ନୂତନ ବିଚାର ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକଙ୍କ ସଚେତନତା ସମ୍ପର୍କରେ ଉଲ୍ଲେଖନୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ନିକିତା ପାଣି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କୋମଲ ଚୌଧୁରୀ ଦ୍ୱିତୀୟ ଏବଂ ସୌରଭ ସୁମନ ନାଏକ ତୃତୀୟ ସ୍ଥାନ ହାସଲ କରି ସଫଳତା ଅର୍ଜନ କରିଛନ୍ତି। ସେହିପରି ଅନୁଷ୍ଠିତ 'ଯୁବ ସମ୍ବାଦ' କାର୍ଯ୍ୟକ୍ରମରେ ଶାସନ ବ୍ୟବସ୍ଥା, ନାଗରିକ ଦାୟିତ୍ୱବୋଧ ଏବଂ ଗୋଷ୍ଠୀ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସରକାରୀ ଯୋଜନାଗୁଡ଼ିକର ସଠିକ୍ ଅନୁଧ୍ୟାନ, ଗଠନମୂଳକ ଆଲୋଚନାରେ ଭାଗିଦାରିତା ଏବଂ ତୃଣମୂଳ ସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଯୁବସମାଜର ମୁଖ୍ୟ ଭୂମିକା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ଏଥିସହ ସ୍ୱଚ୍ଛ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଏସ୍.ଆଇ.ଆର୍. ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯାଇ ନିଜ ନିଜ ଅଞ୍ଚଳରେ ଏ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ସ୍ୱେଚ୍ଛାସେବୀମାନଙ୍କୁ ପ୍ରେରିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଡେପୁଟି କଲେକ୍ଟର ଅମୃତ ଆଚାର୍ଯ୍ୟ ଏଲ୍.ଏନ୍. କଲେଜର ଅଧ୍ୟକ୍ଷ ସୁମନ୍ତ କୁମାର ପଟେଲ, ଇଂରାଜୀ ବିଭାଗ ରିଡର୍ ଡକ୍ଟର ସ୍ୱର୍ଣ୍ଣମୟୀ ପୁରୋହିତ, ଏନ୍.ଏସ୍.ଏସ୍. ଜିଲ୍ଲା ନୋଡାଲ ଅଧିକାରୀ ଡକ୍ଟର ଲାଲଧାରୀ ସିଂହ, ମେରେ ଭାରତର ଜିଲ୍ଲା ଯୁବ ଅଧିକାରୀ ରବି ଶଙ୍କର ଏବଂ ୟୁଥ୍ ଆଇକନ୍ ମେଘା ପାଣ୍ଡେ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ନେତୃତ୍ୱ ଗୁଣ ବିକଶିତ କରିବା ସହ ଦେଶର ପ୍ରଗତିରେ ଭାଗୀଦାର ହେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ମାଇଁ ଭାରତର ସ୍ୱେଚ୍ଛାସେବୀ ଦେବାଶିଷ ବେହେରା, ମୈଥିଳୀ କିଷାନ, ଅସିତ ସା, ଲବଣୀଧର ବାଞ୍ଛୋର, ଦେବାଶିଷ ପ୍ରଧାନ, ଶୁଭମ ବୁଦୁଲା ଏବଂ ପ୍ରକାଶ ପ୍ରଧାନ ପ୍ରମୁଖ ଉଲ୍ଲେଖନୀୟ ସହଯୋଗ କରିଥିଲେ। ସଚେତନ ଓ ଦାୟିତ୍ୱବାନ ଯୁବଶକ୍ତି ବଳରେ ହିଁ 'ବିକଶିତ ଭାରତ'ର ସ୍ୱପ୍ନ ସାକାର ହେବ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande