

କନ୍ଧମାଳ, ୦୬ ନଭେମ୍ବର(ହି.ସ.) – ଦ୍ରୁତଗତି ରେ ଗାଡ଼ି ଚଳାଇବା ହେଲା କାଳ। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ରେ ଲକ୍ଷ୍ମୀପୂଜା ଅବସରରେ ଆୟୋଜିତ ମେଲୋଡି କାର୍ଯ୍ୟକ୍ରମ ଦେଖି ଫେରୁଥିବା ବେଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଧଳା ରଙ୍ଗର କାର ଯାହାର ନମ୍ବର ଓଡି ୦୫ଏଫ ୭୬୬୬ ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଖମନଖୋଲ ଗ୍ରାମର ୫ ଜଣ ଯୁବକ କୋଟଗଡ଼ଠାରେ ଲକ୍ଷ୍ମୀପୂଜା ଅବସରରେ ଆୟୋଜିତ ଅନ୍ତରା ମେଲୋଡି ଦେଖିବାକୁ ଯାଇଥିଲେ। କାର୍ଯ୍ୟକ୍ରମ ଅଧାରୁ କୌଣସି କାରଣରୁ ମଦ୍ୟପାନ କରି ସେମାନେ ଗାଡ଼ିରେ ବଜାର ଅଂଚଳରେ ବୁଲୁଥିବା ଜଣାପଡ଼ିଛି। ଏହି ସମୟରେ ଏକ ଟ୍ରକ୍ ଚାଳକଙ୍କ ସହ କୌଣସି କାରଣକୁ ନେଇ ସେମାନଙ୍କର ବଚସା ହୋଇଥିଲା। କିଛି ସମୟ ବଚସା ପରେ ସେମାନେ କୋଟଗଡ଼ରୁ ବାଲିଗୁଡ଼ା ଅଭିମୁଖେ ଯାତ୍ରା କରିଥିଲେ। ତେବେ କୋଟଗଡ଼ ରୁ ମାତ୍ର ୫କି. ମି ଦୁରରେ ହରିପୁର ଗ୍ରାମ ଛକ ନିକଟସ୍ଥ ଏକ ପୋଲ ର ସୁରକ୍ଷା ପାଚେରିରେ କାର ଟି ଦେଇଥିଲା ଶକ୍ତ ଧକ୍କା ହେବା ପରେ ରାସ୍ତା ମଝିରେ ପ୍ରାୟ ତିନିଥର ଓଲଟି ଯାଇଥିବା ଜଣାପଡିଛି। ଫଳରେ ଗାଡ଼ିଟି ରେ ଥିବା ୫ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଗୋପାଳ ମଲ୍ଲିକ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ କୋଟଗଡ଼ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଥିଲା। ଏହି ଘଟଣାର ତଦନ୍ତ ଦାୟିତ୍ୱ ତୁମୁଡ଼ିବନ୍ଧ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ