
କନ୍ଧମାଳ, ୦୬ ନଭେମ୍ବର(ହି.ସ.) – କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଜାରି ରହିଥିବାବେଳେ ଖଜୁରୀପଡ଼ା ବ୍ଲକର ସୁଡ୍ରେଜୁ, ସୁଡ୍ରୁକୁମ୍ପା ଓ ବିଲାବାଡ଼ି ପଂଚାୟତରେ ଦଳ ପକ୍ଷରୁ ଏହି ପଦଯାତ୍ରା ଆୟୋଜିତ ହୋଇଯାଇଛି। ଗାଁ ଗାଁ ବୁଲି ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବା ସହ ପୂର୍ବତନ ବିଜେଡି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। ଖଜୁରୀପଡ଼ା ବ୍ଲକ ବିଜେଡି ସଭାପତି ବୀରେନ୍ଦ୍ର କୁମାର କହଁରଙ୍କ ନେତୃତ୍ୱରେ ସୁଡ୍ରେଜୁ ପଂଚାୟତର ଭେଟଖୋଲଠାରୁ ପଦଯାତ୍ରା ଆରମ୍ଭ ହୋଇ ସୁଡ୍ରେଜୁ ଗ୍ରାମ ପରିକ୍ରମା କରିଥିଲା। ପରେ ସୁଡ୍ରୁକୁମ୍ପାସ୍ଥିତ ଇନ୍ଦ୍ରଯଜ୍ଞ ପଡ଼ିଆରୁ ତଳସାହି ପର୍ଯ୍ୟନ୍ତ ଦଳୀୟ ନେତା ଓ କର୍ମୀମାନେ ପଦଯାତ୍ରା କରିଥିଲେ। ପରେ ଇନ୍ଦ୍ରଯଜ୍ଞ ପଡ଼ିଆଠାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଜୁ ଜନତା ଦଳର କନ୍ଧମାଳ ଜିଲ୍ଲାସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା, ଫୁଲବାଣୀର ପୂର୍ବତନ ବିଧାୟକ ଦୁଗୁନୀ କହଁର, କନ୍ଧମାଳ ଜିଲ୍ଲା ମହିଳା ସଭାପତି ପୁନମ କହଁର, ବିଜେଡି ରାଜ୍ୟ ସମ୍ପାଦକ କୈଳାଶ ମୁଖୀ, ଜିଲ୍ଲା ଉପସଭାପତି ବିଷ୍ଣୁଚରଣ ଲେଙ୍କା, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ମିଶ୍ର, ଛାତ୍ର ବିଜେଡି ସଭାପତି ସୁନୀଲ କୁମାର ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା, ତ୍ରିନାଥ କହଁର, ବୈଦ୍ୟନାଥ ବେହେରା ଓ ରାଧାମୋହନ ମହାପାତ୍ର, ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଲ୍ଲିକ, ଖଜୁରୀପଡ଼ା ବ୍ଲକ ଯୁବ ସଭାପତି ରବୀନ୍ଦ୍ର କୁମାର ପ୍ରଧାନ ଓ ମହିଳା ସଭାନେତ୍ରୀ ସ୍ୱର୍ଣ୍ଣଲତା କହଁରଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ ଓ ଦଳୀୟ କର୍ମକର୍ତା ଯୋଗଦେଇଥିଲେ। ବୈଠକରେ ବିଜେଡି ସରକାରଙ୍କ ୨୪ ବର୍ଷର ଶାସନ କାଳରେ ରାଜ୍ୟରେ ଲାଗୁ ହୋଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ମହିଳା ସଶକ୍ତୀକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମାଞ୍ଚଳର ଭିତିଭୂମି ବିକାଶ ଓ ଗରିବ ଲୋକଙ୍କ କଲ୍ୟାଣ ପାଇଁ ହୋଇଥିବା କାର୍ଯ୍ୟ ସମ୍ପର୍କରେ ନେତୃବୃନ୍ଦ ଆଲୋକପାତ କରିଥିଲେ। ପୂର୍ବତନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକର ସୁଫଳ ସାଧାରଣ ଲୋକଙ୍କ ପାଖରେ କିପରି ପହଂଚିଥିଲା, ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଅନ୍ୟପକ୍ଷରେ ବର୍ତମାନର ରାଜ୍ୟ ସରକାରଙ୍କ ନୀତି, ନିଷ୍ପତି ଓ କାର୍ଯ୍ୟଧାରାକୁ ନେଇ ଦଳୀୟ ନେତାମାନେ ସମାଲୋଚନା କରିଥିଲେ। ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ଜନକଲ୍ୟାଣକାରୀ ଯୋଜନାର ନିରନ୍ତରତା ରକ୍ଷା କରିବା ଦିଗରେ ସରକାର ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏଥିସହ ଆଗାମୀ ଦିନରେ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ଓ ମଜବୁତ କରିବା ସହ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିବାକୁ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ। ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ, ସେମାନଙ୍କ ଅଭାବ ଅସୁବିଧା ଶୁଣିବା, ଦଳର ନୀତି ଓ ଆଦର୍ଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏହି ଜନସଂପର୍କ ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳୀୟ ନେତୃବୃନ୍ଦ ପ୍ରକାଶ କରିଥିଲେ। ଏଥିରେ ଖଜୁରୀପଡ଼ା ବ୍ଲକ ବିଜେଡି ସମ୍ପାଦକ ରବୀନ୍ଦ୍ର କହଁରଙ୍କ ସମେତ ବ୍ଲକ ଓ ପଂଚାୟତସ୍ତରୀୟ ବହୁ ନେତା, କର୍ମକର୍ତା ଓ ଶହ ଶହ ଦଳୀୟ କର୍ମୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ