ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ
ପୁରୀ, ୬ ନଭେମ୍ବର (ହି.ସ.)- ବିଶିଷ୍ଟ ସମାଜବାଦୀ ଜନନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଆଜି ପୁରୀସ୍ଥିତ ସଂସ୍କୃତି ଭବନଠାରେ ରବି ରାୟ ଜନ୍ମ ଶତବାର୍ଷିକୀ ସମିତି, ପୁରୀ ପକ୍ଷରୁ ଆୟୋଜିତ ହୋଇଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ
ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ


ପୁରୀ, ୬ ନଭେମ୍ବର (ହି.ସ.)- ବିଶିଷ୍ଟ ସମାଜବାଦୀ ଜନନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଆଜି ପୁରୀସ୍ଥିତ ସଂସ୍କୃତି ଭବନଠାରେ ରବି ରାୟ ଜନ୍ମ ଶତବାର୍ଷିକୀ ସମିତି, ପୁରୀ ପକ୍ଷରୁ ଆୟୋଜିତ ହୋଇଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡଃ. ବିଶ୍ୱଜିତ, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ ଏବଂ ସମାଜବାଦୀ ନେତା ପ୍ରଭାସ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରବି ରାୟଙ୍କ ଜୀବନ, ସଂଘର୍ଷ, ସମାଜବାଦୀ ଚିନ୍ତାଧାରା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ।

ବକ୍ତାମାନେ କହିଥିଲେ ଯେ, ରବି ରାୟ କେବଳ ଜଣେ ରାଜନେତା ନଥିଲେ, ସେ ଥିଲେ ଗଣତନ୍ତ୍ରର ଜଣେ ନିଷ୍ଠାପର ପ୍ରହରୀ। ଲୋକସଭାର ବାଚସ୍ପତି ଭାବେ ସେ ସଂସଦୀୟ ପରମ୍ପରା, ନିରପେକ୍ଷତା, ଶାସକ ଓ ବିରୋଧୀଙ୍କ ମଧ୍ୟରେ ସମାନ ମର୍ଯ୍ୟାଦା ଏବଂ ଜନସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲେ। ବର୍ତ୍ତମାନର ସମୟରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ତାଙ୍କ ଜୀବନାଦର୍ଶ ଓ ବିଚାରଧାରା ଅଧିକ ପ୍ରାସଙ୍ଗିକ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ସର୍ବଶ୍ରୀ ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାଶ, ପୁରୀ ଜିଲ୍ଲା ବାର ଆସୋସିଏସନର ସଭାପତି ପ୍ରେମାନନ୍ଦ ମହାନ୍ତି, ସମ୍ପାଦକ ଶରତ ଚନ୍ଦ୍ର ରାୟଗୁରୁ, ଜିଲ୍ଲା ସିପିଆଇ(ଏମ୍) ସମ୍ପାଦକ ଜଗନ୍ନାଥ ଦେଓ, ସର୍ବୋଦୟ ମେଳା କମିଟିର ସଭାପତି ଉମାବଲ୍ଲଭ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଡ଼ଃ ଦେବେନ୍ଦ୍ରନାଥ ତରାଇ, ଜିଲ୍ଲା ସିପିଆଇ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ଆଇନଜୀବୀ ବିଜୟ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସମାରୋହରେ ସ୍ତମ୍ଭକାର ହରିଶଙ୍କର ମିଶ୍ର, ପୂର୍ବତନ କାଉନସିଲର ଭକ୍ତ ଚରଣ ଦାସ, ଆଇନଜୀବୀ ଶିବପ୍ରସାଦ ମିଶ୍ର, କାମଦେବ ଚମ୍ପତ୍ତିରାୟ, କାଳିନ୍ଦୀ ପାତ୍ର, ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ ପଣ୍ଡା, ସମାଜସେବୀ କିଶୋର ଚନ୍ଦ୍ର ଦାସ, ଶିଶିରକାନ୍ତ ଶତପଥୀ, ବିଶ୍ୱନାଥ ମିଶ୍ର, ପ୍ରକାଶ ଚନ୍ଦ୍ର ନାୟକ ସମେତ ବହୁ ପୁରୀ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ଗଣତନ୍ତ୍ରପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଅସୁସ୍ଥତା ସତ୍ତ୍ୱେ ବର୍ଷିଆନ ସମାଜବାଦୀ ଚିନ୍ତକ ତଥା ରବି ରାୟଙ୍କ ଏକାନ୍ତ ଘନିଷ୍ଠ ସହଯୋଗୀ ଶାରଦା ଚରଣ ମହାନ୍ତି ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିବା ବେଳେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ରବି ରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande