
ଜୟପୁର, ୬ ନଭେମ୍ବର (ହି.ସ.)- ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ଅଭିଯାନ ୫.୦ ଅନ୍ତର୍ଗତ ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ୮୦ ବର୍ଷ ଓ ତଦୂର୍ଦ୍ଧ୍ଵ ବୟସ୍କ ଅତି ବରିଷ୍ଠ ରେଳ ପେନସନଭୋଗୀଙ୍କ ପାଇଁ ସେମାନଙ୍କ ଘରେ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲସି) ସେବା ଯୋଗାଇବାକୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବିଶେଷକରି ବାର୍ଦ୍ଧକ୍ୟଜନିତ କାରଣରୁ ଯେଉଁ ପେନସନଭୋଗୀମାନେ ରେଳ କାର୍ଯ୍ୟାଳୟ କିମ୍ବା ଶିବିରକୁ ଯିବାରେ ଅସୁବିଧା ଅନୁଭବ କରୁଛନ୍ତି, ସେମାନଙ୍କୁ ଏହି ସେବା ଅଧିକ ସୁବିଧାଜନକ ହେବ।ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ୧ ନଭେମ୍ବରରୁ ୩୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ଅଭିଯାନ ୫.୦ ଆୟୋଜନ କରାଯାଉଛି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ରେଳ ପେନସନଭୋଗୀ ଏବଂ ପାରିବାରିକ ପେନସନଭୋଗୀଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟାକୁ ସରଳ, ସହଜ ଓ ସୁବିଧାଜନକ କରିବା। ଏଥିପାଇଁ ରାୟଗଡ଼ା ମଣ୍ଡଳ ମୁଖ୍ୟାଳୟ ସମେତ କୋରାପୁଟ, ଜଗଦଲପୁର ଓ ଆରକୁଠାରେ ନିର୍ଦ୍ଧାରିତ ସ୍ଥାନଗୁଡ଼ିକରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଉଛି।ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ, ଯୋଗ୍ୟ ୮୦ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସ୍କ ପେନସନଭୋଗୀଙ୍କ ଘରକୁ ରେଳ ଅଧିକାରୀମାନେ ଯାଇ ସେମାନଙ୍କ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ପ୍ରସ୍ତୁତ ଓ ଦାଖଲ କରିବାରେ ଆବଶ୍ୟକ ସହାୟତା ପ୍ରଦାନ କରିବେ। ଫଳରେ ବୟସାଧିକ୍ୟ କିମ୍ବା ଚଳପ୍ରଚଳରେ ଅସୁବିଧା ଯୋଗୁଁ ରେଳ କାର୍ଯ୍ୟାଳୟକୁ ଯାଇପାରୁନଥିବା ବରିଷ୍ଠ ପେନସନଭୋଗୀମାନେ ଏହି ସୁବିଧାରୁ ଉପକୃତ ହୋଇପାରିବେ। ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ପ୍ରସ୍ତୁତି ପାଇଁ ପେନସନଭୋଗୀ ଓ ପାରିବାରିକ ପେନସନଭୋଗୀମାନେ ନିଜର ଆଧାର କାର୍ଡ, ପେନସନ୍ ପେମେଣ୍ଟ ଅର୍ଡର (ପିପିଓ), ବ୍ୟାଙ୍କ ପାସବୁକ୍ ଏବଂ ଆଧାର ସହ ସଂଯୁକ୍ତ ମୋବାଇଲ୍ ଫୋନ୍ ପ୍ରସ୍ତୁତ ରଖିବାକୁ ଅନୁରୋଧ କରାଯାଇଛି।ଏହି ପଦକ୍ଷେପ ମାଧ୍ୟମରେ ରାୟଗଡ଼ା ରେଳମଣ୍ଡଳ ଅବସରପ୍ରାପ୍ତ ରେଳ କର୍ମଚାରୀ ଓ ସେମାନଙ୍କ ପରିବାରର କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରକାଶ କରିଛି। ବିଶେଷକରି ବରିଷ୍ଠ ନାଗରିକମାନଙ୍କ ନିକଟରେ ଆବଶ୍ୟକୀୟ ସେବା ପହଞ୍ଚାଇବା, ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗ କରିବା ଏବଂ ସେମାନଙ୍କୁ ସମ୍ମାନଜନକ ଓ ସୁବିଧାଜନକ ସେବା ଯୋଗାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ।ବୟସ କିମ୍ବା ଚଳପ୍ରଚଳରେ ଅସୁବିଧା ଯେପରି ଆବଶ୍ୟକୀୟ ସେବା ପାଇବାରେ ବାଧକ ନହୁଏ, ସେଥିପାଇଁ ରାୟଗଡ଼ା ରେଳମଣ୍ଡଳ ନିଜର ବରିଷ୍ଠ ପେନସନଭୋଗୀଙ୍କ ନିକଟରେ ସେବା ପହଞ୍ଚାଇବାକୁ ପ୍ରତିବଦ୍ଧ।
ହିନ୍ଦୁସ୍ଥାନ ସମାଚାର / ପିକେପି