
ଭଦ୍ରକ, ୬ ନଭେମ୍ବର (ହି.ସ.) - ପୁଣି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ନିକଟରେ ବୈତରଣୀ ନଦୀ ଗର୍ଭକୁ ଧସିଲା ୪ଶହ ଫୁଟର ନଦୀବନ୍ଧ । ପୂର୍ବରୁ ନଦୀବନ୍ଧ ଧସିବା ଖବର ପ୍ରସାରଣ ପରେ ଧାମନଗର ଜଳସମ୍ପଦ ବିଭାଗ ପକ୍ଷରୁ କଳା ଜରିପାଳ ଘୋଡ଼ା ଯାଇ ବାଲିବସ୍ତା ପକାଯାଇଥିଲା। ହେଲେ ଶୁକ୍ରବାର ସକାଳୁ ପୁଣି ନଦୀବନ୍ଧରେ ଫାଟ ସୃଷ୍ଟି ହେବା ସହ ପଥର ପ୍ୟାକିଙ୍ଗି ବନ୍ଧ ୮ଫୁଟ ନଦୀ ତଳକୁ ଧସିଯାଇଛି।ଏପରି ବାରମ୍ବାର ନଦୀବନ୍ଧ ଧସୁଥିବାରୁ ଭୟଭିତ ହୋଇପଡିଛନ୍ତି ନଦୀକୂଳିଆ ଗାଁ ଲୋକଙ୍କ ସହ ୨୪ଟି ଗାଁର ଲୋକମାନେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ନଦୀବନ୍ଧ ସମ୍ପୁର୍ଣ୍ଣ ଧସିଯାଏ ତାହାଲେ ସୁନ୍ଦରପୁର ଗାଁ ସହ ୪ଟି ପଂଚାୟତ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଞ୍ଚଳର ୨୪ଟି ଗାଁର ଲୋକଙ୍କର ବହୁ କ୍ଷତି ଘଟିବ। ଏପରିକି ଗତ ୨ ବର୍ଷ ମଧ୍ୟରେ ନଦୀବନ୍ଧ ସୁଦୃକରଣ ପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ କରାଯାଇ ମାଟି ପ୍ୟାକିଙ୍ଗ କରାଯାଇଥିଲା। ହେଲେ ଯାହାକିଛି କାମ ହୋଇଥିଲା ତାହା ଠିକ ଭାବେ କାର୍ଯ୍ୟ ହୋଇନଥିବାରୁ ଆଜି ଏପରି ସମସ୍ୟା ଦେଖାଦେଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି। ଏପରିକି ନଦୀବନ୍ଧର ଯଦି ସ୍ଥାୟୀ ମରାମତି କରାନଯାଏ ତାହାଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗାଁ ଲୋକ ଚେତାବନୀ ଦେଇଛନ୍ତି। ଏପରି ସମସ୍ୟା ବାବଦରେ ଧାମନଗର ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ବିମଲ ପ୍ରସାଦ ବେହେରାଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ଦୃବଳ ନଦୀବନ୍ଧ ଉପରେ ନଜର ରଖାଯାଇଛି। ଖୁବଶିଘ୍ର ଉପରିସ୍ଥ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ