
ଝାରସୁଗୁଡ଼ା, ୬ ନଭେମ୍ବର (ହି.ସ.)- ଜିଲ୍ଲାରେ ଶିଳ୍ପ ବିକାଶ ତଥା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଇପିଆର-୨୦୨୨ ଏବଂ ଓଡ଼ିଶା ଏମଏସଏମଇ ଉନ୍ନୟନ ନୀତି ୨୦୨୨ ଅଧୀନରେ ପୁଞ୍ଜି ନିବେଶ ସବସିଡି ମଞ୍ଜୁର ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ଓ ଅନୁମୋଦନ ବୈଠକ ସମ୍ପନ୍ନ ହୋଇଛି। ଏହି ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଅରିନ୍ଦମ ପ୍ରଧାନ, ସମ୍ବଲପୁର ଇଡ୍କୋ ବିଭାଗୀୟ ମୁଖ୍ୟଙ୍କ ପ୍ରତିନିଧି, ବାଣିଜ୍ୟ କର ଓ ଜିଏସଟି ଯୁଗ୍ମ କମିଶନର, ଝାରସୁଗୁଡ଼ା ଅଗ୍ରଣୀ ଜିଲ୍ଲା ବ୍ୟାଙ୍କ ପ୍ରବନ୍ଧକ ଏବଂ ଆକ୍ସିସ୍ ବ୍ୟାଙ୍କ ଝାରସୁଗୁଡ଼ା ଶାଖା ପ୍ରବନ୍ଧକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବୈଠକରେ ଶିଳ୍ପ ନୀତି ସଂକଳ୍ପ ୨୦୨୨ ଅଧୀନରେ ୨ଟି ପ୍ରସ୍ତାବ ଏବଂ ଓଡ଼ିଶା ଏମଏସଏମଇ ଉନ୍ନୟନ ନୀତି ୨୦୨୨ ଅଧୀନରେ ୧ଟି ପ୍ରସ୍ତାବ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା। ବିଚାରବିମର୍ଶ ପରେ କମିଟି ପକ୍ଷରୁ ଝାରସୁଗୁଡ଼ାର ୩ଟି ଶିଳ୍ପ ୟୁନିଟ୍ ନିମନ୍ତେ ସବସିଡି ଅର୍ଥରାଶି ମଞ୍ଜୁର କରାଯାଇ ଚୂଡ଼ାନ୍ତ ପ୍ରଦାନ ନିମନ୍ତେ କଟକସ୍ଥିତ ଓଡ଼ିଶା ଶିଳ୍ପ ନିର୍ଦ୍ଦେଶାଳୟକୁ ସୁପାରିସ କରାଯାଇଛି। ଜିଲ୍ଲାରେ ଶିଳ୍ପୋଦ୍ୟୋଗ ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ