ଆର୍ଥିକ ସ୍ୱାବଲମ୍ବନ ଆଡ଼କୁ ଅଗ୍ରସର ମହିଳା; ଝାରସୁଗୁଡ଼ାରେ ମା' ବିରଜା ସ୍ୱୟଂ ସହାୟକ ଗୋଷ୍ଠୀର ଗେଣ୍ଡୁଫୁଲ ଚାଷ -ଦୈନିକ ୧ କ୍ୱିଣ୍ଟାଲ ଉତ୍ପାଦନ
Womens are on the way to self sufficient
ଆର୍ଥିକ ସ୍ୱାବଲମ୍ବନ ଆଡ଼କୁ ଅଗ୍ରସର ମହିଳା; ଝାରସୁଗୁଡ଼ାରେ ମା' ବିରଜା ସ୍ୱୟଂ ସହାୟକ ଗୋଷ୍ଠୀର ଗେଣ୍ଡୁଫୁଲ ଚାଷ -ଦୈନିକ ୧ କ୍ୱିଣ୍ଟାଲ ଉତ୍ପାଦନ


ଝାରସୁଗୁଡ଼ା, ୦୬ନ ଭେମ୍ବର (ହି.ସ.):ଓଡ଼ିଶା ଜୀବିକା ମିଶନ ଏବଂ ଉଦ୍ୟାନ କୃଷି ବିଭାଗର ମିଳିତ ଉଦ୍ୟମରେ ଝାରସୁଗୁଡ଼ା ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ କୃଷି କ୍ଷେତ୍ରରେ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ଦଲକି ପଞ୍ଚାୟତ କୁମୁଦାପାଲି ଗ୍ରାମର ‘ମା’ ବିରଜା ସ୍ୱୟଂ ସହାୟକ ଗୋଷ୍ଠୀ’ର ସଦସ୍ୟାମାନେ ୨.୫ ଏକର ପରିମିତ ଜମିରେ ବ୍ୟାପକ ଭାବେ ଗେଣ୍ଡୁଫୁଲ ଚାଷ କରି ସଫଳତା ହାସଲ କରିଛନ୍ତି। ଏହି ପଦକ୍ଷେପ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ କରିବା ସହିତ ଅଞ୍ଚଳରେ ଏକ ପ୍ରେରଣାଦାୟୀ ପରିବେଶ ସୃଷ୍ଟି କରିଛି ବୋଲି ଓଏଲ୍ଏମ୍ର ଡିପିଏମ୍ ଡ. ପୁଷ୍ପଶ୍ରୀ ନାଏକ ସୂଚନା ଦେଇଛନ୍ତି।

ଏହି ଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ଓ ଓଏଲ୍ଏମ୍ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯାଇ ଆଧୁନିକ ଡ୍ରିପ୍ ଜଳସେଚନ ବ୍ୟବସ୍ଥାର ଉପଯୋଗ କରାଯାଇଛି, ଯାହା ଫଳରେ ଜଳର ସଦୁପଯୋଗ ସହିତ ଫସଲର ଗୁଣବତ୍ତା ବୃଦ୍ଧି ପାଇଛି। ଏଥିସହ ସ୍ଥାନୀୟ କୃଷିମିତ୍ର ଉକିଆ ଗୋଷ୍ଠୀର ମହିଳାମାନଙ୍କ ସହିତ ନିରନ୍ତର ଯୋଗାଯୋଗ ରଖି ଚାଷ କାର୍ଯ୍ୟର ତଦାରଖ କରିବା ସହ ଆବଶ୍ୟକୀୟ ବୈଷୟିକ ପରାମର୍ଶ ଓ ସହାୟତା ନିୟମିତ ଯୋଗାଇ ଆସୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବଜାରରେ ଫୁଲ ଯୋଗାଣ ଯେପରି ଅବ୍ୟାହତ ରହିବ, ସେଥିପାଇଁ ଗୋଷ୍ଠୀ ପକ୍ଷରୁ ସୁଚିନ୍ତିତ ଯୋଜନା କରାଯାଇଛି। ବର୍ତ୍ତମାନର ଫସଲ ସରିବା ମାତ୍ରେ ଯେପରି ନୂଆ ଫୁଲ ଉପଲବ୍ଧ ହୋଇପାରିବ, ସେଥିପାଇଁ ମହିଳାମାନେ ନିଜେ ପ୍ରସ୍ତୁତ କରିଥିବା ଚାରା ବ୍ୟବହାର କରି ଅନ୍ୟ ଏକ ପ୍ଲଟ୍ରେ ପୂର୍ବରୁ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିସାରିଛନ୍ତି। ଏହାଦ୍ୱାରା ବଜାରରେ ଫୁଲର ନିରନ୍ତର ଚାହିଦା ପୂରଣ ହେବା ସହିତ ଗୋଷ୍ଠୀର ରୋଜଗାରରେ ମଧ୍ୟ କୌଣସି ବାଧା ଉପୁଜିବ ନାହିଁ। ବର୍ତ୍ତମାନ ଏହି କ୍ଷେତରୁ ଦୈନିକ ହାରାହାରି ୧ କ୍ୱିଣ୍ଟାଲ ଗେଣ୍ଡୁଫୁଲ ଅମଳ ହେଉଛି। ଏହି ଫୁଲକୁ ହୋଲସେଲ୍ ଦରରେ କିଲୋଗ୍ରାମ ପିଛା ୧୦୦ ଟଙ୍କା ହିସାବରେ ସ୍ଥାନୀୟ ତଥା ନିକଟବର୍ତ୍ତୀ ବଜାରରେ ବିକ୍ରି କରାଯାଉଛି। ଉଚିତ ବଜାର ସଂଯୋଗୀକରଣ ଓ ଉନ୍ନତ ମୂଲ୍ୟ ମିଳୁଥିବାରୁ ଗୋଷ୍ଠୀର ସଦସ୍ୟାମାନେ ବେଶ୍ ଉତ୍ସାହିତ ଅଛନ୍ତି ଏବଂ ଆଗାମୀ ଦିନରେ ଅନ୍ୟ ମହିଳାମାନଙ୍କ ପାଇଁ ଏହା ଏକ ଆଦର୍ଶ ମଡେଲ୍ ହେବ ବୋଲି ବିଭାଗୀୟ ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande