ବୋରିଗୁମାରେ ସୋରିଷ ଓ ତୋରିଆ ମଞ୍ଜି ବଂଟନ ଏବଂ କୃଷି ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୦୬ ନଭେମ୍ବର(ହି.ସ.) – ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର କୃଷି ବିଭାଗ ଏବଂ ରାଜସ୍ଥାନ ଭରତପୁର ସ୍ଥିତ ଆଇ.ସି.ଏ.ଆର୍.- ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ରେପସିଡ୍-ମଷ୍ଟାର୍ଡ ରିସର୍ଚ୍ଚର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ବୋରିଗୁମ୍ମା ଅନ୍ତର୍ଗତ ଅଂଚଳା ଗ୍ରାମପଂଚାୟତ କାର୍ଯ୍ୟାଳ
ବୋରିଗୁମାରେ ସୋରିଷ ଓ ତୋରିଆ ମଞ୍ଜି ବଣ୍ଟନ ଏବଂ କୃଷି ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୦୬ ନଭେମ୍ବର(ହି.ସ.) – ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର କୃଷି ବିଭାଗ ଏବଂ ରାଜସ୍ଥାନ ଭରତପୁର ସ୍ଥିତ ଆଇ.ସି.ଏ.ଆର୍.- ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ରେପସିଡ୍-ମଷ୍ଟାର୍ଡ ରିସର୍ଚ୍ଚର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ବୋରିଗୁମ୍ମା ଅନ୍ତର୍ଗତ ଅଂଚଳା ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ସୋରିଷ ମଞ୍ଜି ବଂଟନ ଏବଂ କୃଷି ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୋରିଷ ଓ ତୋରିଆ ଚାଷକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରିବା, ଚାଷୀମାନଙ୍କୁ ଉନ୍ନତ କୃଷି ପ୍ରଣାଳୀ ସହିତ ପରିଚିତ କରାଇବା ଏବଂ ଏହି ଅଂଚଳରେ କୃଷକମାନଙ୍କ ଆୟ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ବୋରିଗୁମା ଏବଂ କୋଟପାଡ଼ ବ୍ଲକର ୭୫ ଜଣ ଚାଷୀଙ୍କୁ ସୋରିଷ/ତୋରିଆ ମଞ୍ଜି ଓ ଆବଶ୍ୟକୀୟ ସାର ବଂଟନ କରାଯାଇଥିଲା, ଯାହାକି ପ୍ରାୟ ୨୫ ଏକରରୁ ଅଧିକ ଚାଷ ଜମି ପାଇଁ ଉଦ୍ଦିଷ୍ଟ ଅଟେ। ଚାଷୀମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ସୋରିଷ ଚାଷର କୌଶଳ ସମ୍ପର୍କରେ ଅବଗତ କରାଇବା ପାଇଁ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ଅଧ୍ୟାପକମାନେ କ୍ଷେତ୍ର ପରିଦର୍ଶନ କରି ଏକ ବ୍ୟବହାରିକ ପ୍ରଦର୍ଶନ ମଧ୍ୟ ପ୍ରଦର୍ଶନ କରିଥିଲେ।

ଚାଷୀମାନଙ୍କୁ ସମ୍ବୋଧିତ କରି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅଜିତ କୁମାର ଶାସନୀ ମତବ୍ୟକ୍ତ କରିଥିଲେ ଯେ ଅବିଭକ୍ତ କୋରାପୁଟ ଅଂଚଳର ଚାଷୀମାନେ ଅତ୍ୟନ୍ତ ଉଦ୍ୟମୀ, ଅଗ୍ରଣୀ ଏବଂ ପରିଶ୍ରମୀ ଅଟନ୍ତି। ସେ ଜୋର ଦେଇ କହିଥିଲେ ଯେ, ଉନ୍ନତ କୃଷି ପ୍ରଣାଳୀ ଗ୍ରହଣ କରିବା ଦ୍ୱାରା ଏହି ଅଂଚଳରେ କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଅପାର ସମ୍ଭାବନା ରହିଛି।

କୁଳପତି କହିଥିଲେ, ଚାଷୀମାନେ ହେଉଛନ୍ତି ଆମ ଅର୍ଥନୀତିର ପ୍ରକୃତ ମେରୁଦଣ୍ଡ। ଏଠାରେ ଗବେଷଣା ଏବଂ ନୂତନ ପ୍ରୟୋଗ ପାଇଁ ଅନେକ ସୁଯୋଗ ରହିଛି। ଏହି ପଦକ୍ଷେପ ହେଉଛି କେବଳ ଏକ ଆରମ୍ଭ ମାତ୍ର। ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ସିୟୁଓ ସେମାନଙ୍କୁ ସମସ୍ତ ପ୍ରକାରର ବୈଷୟିକ ଜ୍ଞାନକୌଶଳ, ସହାୟତା ଏବଂ ମାର୍ଗଦର୍ଶନ ଯୋଗାଇଦେବ। ସୋରିଷ/ତୋରିଆ ଚାଷକୁ ବ୍ୟାପକ କରିବା ପାଇଁ ଆମେ ଚାଷୀଙ୍କ ପରାମର୍ଶ କ୍ରମେ କୋରାପୁଟ ଜିଲ୍ଲାରେ ୨୪୦ ଏକର ଚାଷ ଜମି ଚିହ୍ନଟ କରିଛୁ।'

କାର୍ଯ୍ୟକ୍ରମରେ ମହିଳା ଚାଷୀମାନଙ୍କ ସକ୍ରିୟ ଭୂମିକାକୁ ପ୍ରଶଂସା କରି ବୋରିଗୁମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ କୃଷି କାର୍ଯ୍ୟରେ ମହିଳାମାନଙ୍କର ବୃଦ୍ଧି ପାଉଥିବା ଅଂଶଗ୍ରହଣ ଏବଂ ନୂତନ ଚାଷ ପ୍ରଣାଳୀ ଶିଖିବା ପ୍ରତି ସେମାନଙ୍କର ଉତ୍ସାହକୁ ଭୂୟସୀ ପ୍ରଶଂସା କରିଥିଲେ। ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହି ପଦକ୍ଷେପ ଚାଷୀମାନଙ୍କ ଆର୍ôଥକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ ଏବଂ ଅଧିକରୁ ଅଧିକ ଚାଷୀଙ୍କୁ ଏଥିପାଇଁ ପ୍ରେରଣା ଯୋଗାଇବ।

କାର୍ଯ୍ୟକ୍ରମର ବୈଷୟିକ ଦିଗଗୁଡ଼ିକ ଉପରେ ଆଲୋକପାତ କରି କୃଷି ବିଭାଗର ମୁଖ୍ୟ ଡ. ମଞ୍ଜୁଶ୍ରୀ ସିଂ ଚାଷୀମାନଙ୍କୁ ସୋରିଷ ଚାଷର ବିଜ୍ଞାନସମ୍ମତ ପ୍ରଣାଳୀ, ଏହାର ଉପକାରିତା ଏବଂ କୃଷି ଆୟ ବୃଦ୍ଧିର ସମ୍ଭାବନା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସେ ସୂଚନା ଦେଇଥିଲେ ଯେ ଆଗାମୀ ଦିନରେ ଉତ୍ପାଦନ ବୃଦ୍ଧି ପାଇଲେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉପଯୁକ୍ତ ବଜାର ସଂଯୋଗ ର ବ୍ୟବସ୍ଥା କରାଯିବ। ଏହା ସହିତ ତେଲ ବାହାର କରିବା ଏବଂ ମୂଲ୍ୟଯୁକ୍ତ ଉତ୍ପାଦର ବିକାଶ ପାଇଁ ମଧ୍ୟ ଆବଶ୍ୟକୀୟ ବୈଷୟିକ ସହଯୋଗ ଯୋଗାଇଦିଆଯିବ। ଏଭଳି ପଦକ୍ଷେପ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବାରେ ବେଶ୍ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ, ଅଂଚଳା ଗ୍ରାମପଂଚାୟତ ସରପଂଚ ଦାଶରଥୀ ମାଝୀ, ସିୟୁଓ କୃଷି ବିଭାଗର ସହକାରୀ ପ୍ରାଧ୍ୟାପିକା ଡ. ଲୋପାମୁଦ୍ରା ବେହେରା, ଓ.ଏଲ୍.ଏମ୍. ବି.ପି.ଏମ୍. ଇନଚାର୍ଜ ଦେବେନ୍ଦ୍ର ପଣ୍ଡା ଏବଂ ସମାଜସେବୀ ଲକ୍ଷ୍ମୀନାରାୟଣ ବକ୍ସିଙ୍କ ସମେତ ବୋରିଗୁମା ଓ କୋଟପାଡ଼ ବ୍ଲକର ବହୁ ଚାଷୀ ଓ କୃଷି ମିତ୍ରମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଏକ ପ୍ରଶ୍ନୋତର ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ଚାଷୀଙ୍କ ବିଭିନ୍ନ ଦ୍ୱନ୍ଦ ଓ ପ୍ରଶ୍ନର ସନ୍ତୋଷଜନକ ଉତର ଦେବା ସହ ସୋରିଷ ଚାଷ ସମ୍ପର୍କରେ ଜରୁରୀ ପରାମର୍ଶ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande