
ମୁଖୀଗୁଡା, ୬ ନଭେମ୍ବର (ହି.ସ.)- ଆଜି ଦୀପାବଳି ପର୍ବ ପୂର୍ବରୁ ଖାଦ୍ୟର ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଜୟପାଟଣା ଓ ମୁଖୀଗୁଡା ଅଞ୍ଚଳରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇଛି। ବିଭିନ୍ନ ମିଠା ଦୋକାନ ଓ ଖାଦ୍ୟ ପ୍ରସ୍ତୁତି କେନ୍ଦ୍ରରେ ଯାଞ୍ଚ କରାଯାଇ ଅସ୍ୱଚ୍ଛ ପରିବେଶରେ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ ବିରୋଧରେ ଜରିମାନା ଆଦାୟ କରାଯାଇଛି।
ଦୀପାବଳି ଅବସରରେ ଲୋକେ ବିଭିନ୍ନ ପ୍ରକାର ମିଠା ଓ ଖାଦ୍ୟ ସାମଗ୍ରୀ କିଣିବା ସହ ଘରେ ଘରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏହି ସମୟରେ ଅସ୍ୱଚ୍ଛ ପରିବେଶରେ ଖାଦ୍ୟ ପ୍ରସ୍ତୁତି ଓ ନିମ୍ନମାନର ଖାଦ୍ୟ ବିକ୍ରି ରୋକିବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ଏହି ଯାଞ୍ଚ କରାଯାଇଥିଲା।
ଯାଞ୍ଚ ସମୟରେ ବିଭିନ୍ନ ମିଠା ଦୋକାନ ଓ ଖାଦ୍ୟ ପ୍ରସ୍ତୁତି ସ୍ଥାନରେ ସ୍ୱଚ୍ଛତା ଏବଂ ଖାଦ୍ୟର ମାନ ଯାଞ୍ଚ କରାଯାଇଥିଲା। ଏଥିସହ ସନ୍ଦେହଜନକ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏହି ଅଭିଯାନରେ ଜୟପାଟଣାସ୍ଥିତ ବାଙ୍ଗାଲୋର ବେକେରିରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି।
ପର୍ବପର୍ବାଣୀ ସମୟରେ ଜନସାଧାରଣଙ୍କୁ ସୁରକ୍ଷିତ, ସ୍ୱଚ୍ଛ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇଦେବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ନିହାର