
ଜୟପୁର, 06 ନଭେମ୍ବର (ହି.ସ.)କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ରାଜପୁଟ ପଞ୍ଚାୟତ ଅଧିନ ଝରାପୁଟ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି । ୨ ଦିନ ତଳେ ନିକଟସ୍ଥ ପାହାଡ଼ରେ ଏକ ମହାବଳ ବାଘ ଙ୍କ ଆକ୍ରମଣରେ ଗୋଟିଏ ମଇଁଷିର ମୃତ୍ଯୁ ହୋଇଥିବା ଦେଖିବାକୁ ମିଳିଛି । ଗାଁର ଏକାଧିକ ଲୋକ ନିଜ ଗାଈ, ଗୋରୁ, ଛେଳି, ମଇଁଷି ଆଦିଙ୍କୁ ଚରାଇବାକୁ ଗାଁ ନିକଟ ପାହାଡ଼ ଉପରକୁ ଯାଇଥିଲେ। ପାହାଡ଼ରୁ ଆସି ଗାଁ ନିକଟରେ ପହଞ୍ଚିବା ବେଳେ ପାହାଡ଼ ଉପରୁ ଏକ ମଇଁଷିର ଚିତ୍କାର ଶୁଣିଥିଲେ । ହେଲେ ସନ୍ଧ୍ୟା ହୋଇ ଯାଇଥିବାରୁ ଲୋକେ ପାହାଡ଼କୁ ଯିବାକୁ ଡରିଥିଲେ । ପରଦିନ ଅର୍ଥାତ ସକାଳେ ଗାଁର କିଛି ଲୋକ ମେଳି ହୋଇ ପାହାଡ଼ ଉପରେ ପହଞ୍ଚିବା ପରେ ଗୋଟିଏ ମଇଁଷିର ମୃତ ଦେହ ଦେଖି ଭୟରେ ଆତଙ୍କିତ ହୋଇଥିଲେ । ମୃତ ମଇଁଷିଟିର ପଛ ଭାଗକୁ ଅଜଣା ହିଂସ୍ର ଜନ୍ତୁ ଅଧାରୁ ଅଧିକ ଖାଇଦେଇଥିବା ଦେଖିଥିଲେ। ଲୋକେ ଭୟଭିତ ହୋଇ ସେମିଳିଗୁଡା ବନ ବିଭାଗକୁ ଜଣାଇଥିଲେ। ଖବର ପାଇ ବନ ବିଭାଗ ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ ଅନ୍ୟ ସହକର୍ମୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଜନ୍ତୁଟିର ଗତିବିଧି ଉପରେ ଟିମ ନଜର ରଖିଥିବା ଥିଲେ l ବିଭାଗ ପକ୍ଷରୁ ପାହାଡ଼ ବିଭିନ୍ନ ସ୍ଥାନରେ ଟ୍ରେସ କ୍ୟାମେରା ଲଗାଯିବା ସହ ଜନ୍ତୁଟିର ସମ୍ପୂର୍ଣ୍ଣ ଗତିବିଧି ଉପରେ ନଜର ରଖାଯାଇଥିବା ଏବଂ ରାତିରେ ଗାଁ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି । ଏଥିସହ ସତର୍କତା ଅଵଲମ୍ବନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ବନ ବିଭାଗ ଅଜଣା ଯାନ୍ତୁ ନୁହଁ ମହାବଳ ବାଘ ବୋଲି ସ୍ୱଷ୍ଟ କରିଛି l ତେବେ ସେମିଳିଗୁଡା ବନ ବିଭାଗର ୨ ଟି ସ୍ୱତନ୍ତ୍ର ଟିମ ଦିନରାତି ପାଳି କରି ମହାବଳ ବାଘ ଗତିଵିଧିକୁ ନଜର ରଖୁଛନ୍ତି । କୋରାପୁଟ ବନଖଣ୍ଡ ଅଧିକାରୀ ଡ଼ି ଏଫ ଓ) ସିଦ୍ଧାର୍ଥ ଜୈନ, ଏ ସି ଏଫ ଜଗନ୍ନାଥ ପ୍ରସାଦ ବିଶୋଇ, ସେମିଳିଗୁଡା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇଙ୍କ ସହ ବିଭାଗର ଅନ୍ୟ କର୍ମଚାରୀ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ବିଭିନ୍ନ ଦିଗକୁ ନେଇ ଆଲୋଚନା କରି ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଥିଲେ। କୌଣସି ପରିସ୍ଥିତିରେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି।
ଗତ ବୁଧବାର କୋରାପୁଟ ବନଖଣ୍ଡ ଅନ୍ତର୍ଗତ ସେମିଳିଗୁଡ଼ା ବନାଞ୍ଚଳରେ ଏକ ବାଘର ଚଳପ୍ରଚଳ ଦେଖିବାକୁ ମିଳି ଥିବା ନେଇ ବନ ବିଭାଗ ସୂଚନା ଦେଇଥିଲେ lଏହି ବାଘଟି ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରୁ ଆସି ସେମିଳିଗୁଡ଼ା ରେଞ୍ଜ ଅଧୀନରେ ଚଳପ୍ରଚଳ କରୁଥିବା ନେଇ କୋରାପୁଟ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ଜାରି ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ବନ ବିଭାଗ ପକ୍ଷରୁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ଲୋକଙ୍କ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଖପାଖ ଗ୍ରାମଗୁଡ଼ିକରେ ମାଇକ୍ ଯୋଗେ ସଚେତନତା ଓ ସତର୍କତା ବାର୍ତ୍ତା ପ୍ରଚାର କରାଯାଉଛି।
ଗ୍ରାମବାସୀମାନଙ୍କୁ ସତର୍କ ରହିବା, ବିପଦପୂର୍ଣ୍ଣ ଜଙ୍ଗଲ ଅଞ୍ଚଳକୁ ନଯିବା ଏବଂ ବାଘକୁ ହଇରାଣ ନକରିବା କିମ୍ବା ତା’ର ନିକଟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ବାଘର ଗତିବିଧି ଉପରେ ନିରନ୍ତର ନଜର ରଖିବା, ତାହାର ଚଳପ୍ରଚଳ ଚିହ୍ନଟ କରିବା ଓ ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ତ୍ୱରିତ ପ୍ରତିକ୍ରିୟା ଦଳ ଏବଂ ବନ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।
କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ବନ ବିଭାଗ ପରିସ୍ଥିତି ଉପରେ ନିକଟରୁ ନଜର ରଖିଛି। ଜନସାଧାରଣ ବନ ବିଭାଗର କର୍ମଚାରୀଙ୍କ ପରାମର୍ଶ ମାନିବା ସହ ବାଘକୁ ଦେଖିଲେ, ତାହାର ପାଦଚିହ୍ନ କିମ୍ବା ଅସ୍ୱାଭାବିକ ଗତିବିଧି ଲକ୍ଷ୍ୟ କଲେ ତୁରନ୍ତ ନିକଟସ୍ଥ ବନ ବିଭାଗ କର୍ମଚାରୀଙ୍କୁ ଜଣାଇବାକୁ କୋରାପୁଟ ବନଖଣ୍ଡ ପକ୍ଷରୁ ଅନୁରୋଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି