
ଭୁବନେଶ୍ୱର, 06 ନଭେମ୍ବର (ହି.ସ.): ୟୁଥ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଇତିହାସ ରଚିଥିବା ଓଡ଼ିଶାର ଉଦୀୟମାନ ବ୍ୟାଡମିଣ୍ଟନ
ଖେଳାଳି ତନଭି ପତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି)
ସଭାପତି ନବୀନ ପଟ୍ଟନାୟକ।
ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ନିଜର ଶୁଭେଚ୍ଛା ବାର୍ତ୍ତାରେ ତନଭିଙ୍କ ଏହି ଐତିହାସିକ ସଫଳତାକୁ ନେଇ
ଖୁସି ପ୍ରକାଶ କରିଛନ୍ତି। ୟୁଥ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ଖେଳାଳି
ହେବାର ଗୌରବ ଅର୍ଜନ କରିଥିବା ତନଭି ଓଡ଼ିଶା ସହ ଦେଶର ଗର୍ବ ବୃଦ୍ଧି କରିଛନ୍ତି ବୋଲି ସେ ଉଲ୍ଲେଖ
କରିଛନ୍ତି।
ସମଗ୍ର ପ୍ରତିଯୋଗିତାରେ ତନଭି ନିଜର ଅସାଧାରଣ ଆତ୍ମବିଶ୍ୱାସ, ସଂଯମତା ଓ କ୍ରୀଡ଼ା ଦକ୍ଷତାର ପରିଚୟ ଦେଇଥିବା ନବୀନ କହିଛନ୍ତି। ତାଙ୍କର
କ୍ରୀଡ଼ା ଜୀବନ ଆଗକୁ ଆହୁରି ସଫଳ ହେଉ ଏବଂ ସେ ଦେଶ ପାଇଁ ଅଧିକ ଗୌରବ ଆଣନ୍ତୁ ବୋଲି ଶୁଭକାମନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା