
ଭୁବନେଶ୍ୱର, 06 ନଭେମ୍ବର (ହି.ସ.): କୋଟିଆ ପ୍ରସଙ୍ଗକୁ
ନେଇ ରାଜ୍ୟ ସରକାର ଚୁପ୍ ବସିବେ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ଦିଗକୁ ତର୍ଜମା କରାଯାଉଛି।
ଆବଶ୍ୟକ ବିଚାରବିମର୍ଶ ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି
ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
କୋଟିଆ ବିବାଦକୁ ନେଇ ମନ୍ତ୍ରୀ
କଡ଼ା ଆଭିମୁଖ୍ୟ ପ୍ରକାଶ କରି କହିଛନ୍ତି ଯେ,
ଏହି ବିବାଦ ଦୀର୍ଘ ବର୍ଷର। ଏଥର
ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ କରାଯିବାକୁ ମଧ୍ୟ ଜୋରଦାର ବିରୋଧ କରାଯାଇଥିଲା।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପୂର୍ବ ସରକାରଙ୍କ ପକ୍ଷରୁ
ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଆଇନଗତ ମାମଲାରେ ଓଡ଼ିଶାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।
ବର୍ତ୍ତମାନ ସମସ୍ତ ଆଇନଗତ ଦିଗକୁ ନେଇ ରାଜସ୍ୱ ବିଭାଗ ତର୍ଜମା କରିବ। ଏହାପରେ ବିଚାରବିମର୍ଶ କରାଯାଇ
ଆଗାମୀ ଦିନରେ କେଉଁ ଆଇନଗତ ପଦକ୍ଷେପ ନିଆଯାଇପାରିବ, ସେନେଇ ନିଷ୍ପତ୍ତି ହେବ।
ବାତ୍ୟା ଓ ବନ୍ୟା ପରିସ୍ଥିତି
ଯୋଗୁଁ ଏହି ପ୍ରସଙ୍ଗରେ କିଛିଟା ବିଳମ୍ବ ହୋଇଥିବା ସ୍ୱୀକାର କରି ମନ୍ତ୍ରୀ କହିଛନ୍ତି ଯେ, ତଥାପି ସରକାର ଏହି ପ୍ରସଙ୍ଗରେ
ନିରବ ରହିବେ ନାହିଁ। ମୁଖ୍ୟମନ୍ତ୍ରୀ ମଧ୍ୟ କୋଟିଆ ପ୍ରସଙ୍ଗକୁ ନେଇ ସଚେତନ ଅଛନ୍ତି ଏବଂ ସରକାର ଏହାର
ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା