
ଭୁବନେଶ୍ୱର, ୬ ନଭେମ୍ବର (ହି.ସ.)- ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ୭ ହଜାର ଟଙ୍କା ଲାଂଚ ନେବାବେଳେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ଟିମ୍ ଧରିଛି। ଓଡ଼ିଶା ରାଜସ୍ୱ ସେବା ର ଅଧିକାରୀ ମନୀଷା ଏକ ଜମିର ବିକ୍ରୟ ସେଲ ଡିଡ ପଞ୍ଜୀକରଣ କରିବା ପାଇଁ ଜଣେ କ୍ରେତାଙ୍କଠାରୁ ଲାଂଚ ମାଗିଥିବା ଅଭିଯୋଗ ହୋଇଛି।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଜମିର ପରିମାଣ ୦.୧୪ ଏକର ଏବଂ ରାଜସ୍ୱ ରେକର୍ଡରେ ଏହା ‘ବଜ୍ୟାପ୍ତି ସ୍ଥିତିବାନ’ ଭାବେ ଦର୍ଜ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରାଯାଇ ଏହାର ପଞ୍ଜୀକରଣ କରାଯାଇପାରିବ। ଏହା ସତ୍ୱେ ବାରମ୍ବାର ଅନୁରୋଧ ପରେ ମଧ୍ୟ ସବ୍-ରେଜିଷ୍ଟ୍ରାର ଜମିର ପଞ୍ଜୀକରଣ କରିନଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ପଞ୍ଜୀକରଣ ପାଇଁ ମନୀଷା ପ୍ରଥମେ ୧୦ ହଜାର ଟଙ୍କା ଲାଂଚ ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଂଚ ରାଶିକୁ ୭ ହଜାର ଟଙ୍କାକୁ ହ୍ରାସ କରାଯାଇଥିଲା। ଏହାପରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।
ଏହି ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଜାଲ ବିଛାଇ ଶୁକ୍ରବାର ମନୀଷାଙ୍କୁ ୭ ହଜାର ଟଙ୍କା ଲାଂଚ ନେବାବେଳେ ଧରିଥିଲା। ତାଙ୍କଠାରୁ ଲାଂଚ ଟଙ୍କାର ସମ୍ପୂର୍ଣ୍ଣ ରାଶି ଜବତ କରାଯାଇଛି।
ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତି ସନ୍ଦେହରେ ଅଭିଯୁକ୍ତ ଅଧିକାରୀଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ ଚାଲିଛି।
ଏହି ମାମଲାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୬/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ମନୀଷା ମିଶ୍ର ୨୦୨୪ ମସିହାରେ ସରକାରୀ ସେବାରେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା