
କଟକ/ଭୁବନେଶ୍ୱର,୦୬ ନଭେମ୍ବର(ହି.ସ.) -ଜୀବନ ଅମୂଲ୍ୟ। ଟିକିଏ ଅସାବଧାନତା ଯୋଗୁଁ ନିଜର ଏବଂ ଅନ୍ୟର ଜୀବନ ବିପଦରେ ପଡ଼ିପାରେ। ତେଣୁ ରାସ୍ତାରେ ଗାଡ଼ି ଚଳାଇବା ସମୟରେ ସର୍ବଦା ସତର୍କ ରହିବା ସହ ଟ୍ରାଫିକ୍ ନିୟମକୁ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ। ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ନିଜ ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରନ୍ତୁ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା ବାର୍ଲା ଦେଇ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାଂଚଳ ଆଇଜି ଡଃ ସତ୍ୟଜିତ ନାୟକ।
ଆଇଜି ଡଃ ନାୟକ କହିଛନ୍ତି ଯେ, ହେଲମେଟ୍ କେବଳ ପୋଲିସ କିମ୍ବା ଟ୍ରାଫିକ୍ ବିଭାଗର ନିୟମ ପାଳନ ପାଇଁ ନୁହେଁ, ବରଂ ଏହା ନିଜ ଜୀବନକୁ ସୁରକ୍ଷିତ ରଖିବାର ଏକ ଅତ୍ୟାବଶ୍ୟକ ସୁରକ୍ଷା କବଚ। ଅନେକ ସମୟରେ ଦୁର୍ଘଟଣା ଘଟିବା ପରେ ହେଲମେଟ୍ ନ ପିନ୍ଧିବା ଯୋଗୁଁ ଚାଳକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥାଏ ଏବଂ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଚାଲିଯାଏ। ଯଦି ଆମେ ଯାତ୍ରା ଆରମ୍ଭ ପୂର୍ବରୁ ହେଲମେଟ୍ ପିନ୍ଧିବା ଏବଂ ଟ୍ରାଫିକ୍ ନିୟମ ପାଳନ କରିବା, ତେବେ ଅନେକ ଅପ୍ରୀତିକର ଦୁର୍ଘଟଣାର ଗମ୍ଭୀରତାକୁ କମାଇ ପାରିବା।
ସେ ଆହୁରି କହିଛନ୍ତି ଯେ, ରାସ୍ତାରେ ଗାଡ଼ି ଚଳାଇବା ସମୟରେ ଅନାବଶ୍ୟକ ଭାବେ ଅଧିକ ବେଗରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଡ୍ରାଇଭିଂ କରିବା, ମୋବାଇଲ୍ ଫୋନ୍ ରେ କଥା ହେବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା ଏବଂ ଟ୍ରାଫିକ୍ ସିଗନାଲ୍ ଅବମାନନା କରିବା ଭଳି ଅଭ୍ୟାସରୁ ନିବୃତ ରହିବା ଦରକାର। ଦୁଇଚକିଆ ଯାନରେ ଚାଳକଙ୍କ ସହ ପଛରେ ବସିଥିବା ଯାତ୍ରୀ ମଧ୍ୟ ହେଲମେଟ୍ ପିନ୍ଧିବା ଉଚିତ। ସେହିପରି ଚାରିଚକିଆ ଯାନ ଚଳାଇବା ସମୟରେ ସିଟ୍ ବେଲ୍ଟ ବ୍ୟବହାର କରିବା, ଗାଡ଼ିର କାଗଜପତ୍ର ଠିକ୍ ରଖିବା ଏବଂ ରାସ୍ତାରେ ଅନ୍ୟ ଯାତ୍ରୀଙ୍କ ପ୍ରତି ଦାୟିତ୍ୱବାନ ଆଚରଣ ପ୍ରଦର୍ଶନ କରିବା ଆବଶ୍ୟକ।
“ହେଲମେଟ୍ ପିନ୍ଧନ୍ତୁ, ସରକାରଙ୍କ ନିୟମ ପାଳନ କରି ଗାଡ଼ି ଚଳାନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ଆପଣଙ୍କ ଜୀବନ କେବଳ ଆପଣଙ୍କର ନୁହେଁ, ଆପଣଙ୍କ ପରିବାରର ମଧ୍ୟ ଅମୂଲ୍ୟ ସମ୍ପଦ। ଘରୁ ବାହାରିବା ପୂର୍ବରୁ ହେଲମେଟ୍ ପିନ୍ଧିବାକୁ ଭୁଲନ୍ତୁ ନାହିଁ। ଦୁର୍ଘଟଣା ପରେ ଅନୁତାପ କରିବା ଅପେକ୍ଷା ପୂର୍ବରୁ ସତର୍କ ରହିବା ଅଧିକ ବୁଦ୍ଧିମାନର କାମ” ବୋଲି ଆଇଜି ଡଃ ସତ୍ୟଜିତ ନାୟକ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
ସଡ଼କ ସୁରକ୍ଷା କେବଳ ପୋଲିସ କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ। ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ଅଭିଭାବକମାନେ ମଧ୍ୟ ନିଜ ପିଲାମାନଙ୍କୁ ଟ୍ରାଫିକ୍ ନିୟମ ପାଳନର ଗୁରୁତ୍ୱ ବୁଝାଇବା ସହ ନିଜେ ଉଦାହରଣ ସୃଷ୍ଟି କରନ୍ତୁ। ଯୁବପିଢ଼ି ବେପରୁଆ ଗାଡ଼ି ଚାଳନା, ରେସିଂ ଏବଂ ଷ୍ଟଣ୍ଟ୍ ପ୍ରଦର୍ଶନରୁ ଦୂରେଇ ରହିବା ଉଚିତ।
ସମସ୍ତଙ୍କ ସଚେତନତା, ଦାୟିତ୍ୱବୋଧ ଓ ନିୟମ ପାଳନ ଦ୍ୱାରା ହିଁ ସଡ଼କ ଦୁର୍ଘଟଣା ହ୍ରାସ କରିବା ସମ୍ଭବ। ତେଣୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ। ହେଲମେଟ୍ ପିନ୍ଧିବା ଅଭ୍ୟାସ କରନ୍ତୁ, ଟ୍ରାଫିକ୍ ନିୟମ ମାନନ୍ତୁ, ନିଜ ଜୀବନ ସହ ଅନ୍ୟର ଜୀବନକୁ ସୁରକ୍ଷା ଦିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା