
ଭୁବନେଶ୍ୱର,୦୬ ନଭେମ୍ବର(ହି.ସ.) - ରାଜ୍ୟର ସହରାଂଚଳରେ ଚାଲିଥିବା ପ୍ରମୁଖ ବିକାଶମୂଳକ ପଦକ୍ଷେପ ଓ ବିଭାଗର ପ୍ରାଥମିକତାଭିତିକ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର। ଶୁକ୍ରବାର ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭାଗର ବିଭିନ୍ନ ଯୋଜନା ଓ ପ୍ରମୁଖ ପ୍ରସଙ୍ଗର ସମୀକ୍ଷା କରିଥିଲେ ।
ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ସଚିବ ଶ୍ରୀ ଗଙ୍ଗାଧର ନାୟକ ଓ ଶ୍ରୀ ବିନୟ କୁମାର ଦାଶଙ୍କ ସମେତ ବିଭାଗର ସମସ୍ତ ଅତିରିକ୍ତ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ବୈଠକରେ ଡ୍ରାଫ୍ଟ ଓଡ଼ିଶା ପାର୍କିଂ ନୀତି-୨୦୨୬, ସହରୀ ଯାତାୟାତ ଯୋଜନା , ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ଏବଂ ଜିଲ୍ଲା ସହର ଉନ୍ନୟନ ସଂସ୍ଥା ଗୁଡ଼ିକର କାର୍ଯ୍ୟଧାରା ସମେତ ବିଭାଗର ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଡ୍ରାଫ୍ଟ ଓଡ଼ିଶା ପାର୍କିଂ ନୀତି-୨୦୨୬ ସମ୍ପର୍କିତ ଉପସ୍ଥାପନାରେ ରାଜ୍ୟର ସହରାଂଚଳଗୁଡ଼ିକରେ ପାର୍କିଂ ବ୍ୟବସ୍ଥାର ରୂପାନ୍ତରଣ ପାଇଁ ପ୍ରସ୍ତାବିତ ଢାଂଚା ଉପରେ ଆଲୋକପାତ କରାଯାଇଥିଲା । ଦ୍ରୁତଗତିରେ ବଢ଼ୁଥିବା ଯାନବାହନ ସଂଖ୍ୟା ଯୋଗୁଁ ସହରର ସୀମିତ ରାସ୍ତା ଓ ସ୍ଥାନ ଉପରେ ବଢ଼ୁଥିବା ଚାପକୁ ଦୃଷ୍ଟିରେ ରଖି ଏକ ସୁପରିକଳ୍ପିତ, ନିୟନ୍ତ୍ରିତ ଓ ପ୍ରଯୁକ୍ତିବିଦ୍ୟାଭିତିକ ପାର୍କିଂ ବ୍ୟବସ୍ଥା ଗଠନ କରିବା ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ । ସ୍ଥାୟୀ ସହରୀ ଯାତାୟାତ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପାର୍କିଂ ପରିଚାଳନାକୁ ଗୁରୁତ୍ୱ ଦେବା ସହ ପଥଚାରୀଙ୍କ ସୁବିଧା, ସାଧାରଣ ପରିବହନ ଓ ଉପଲବ୍ଧ ଭିତିଭୂମିର ସୁବିନିଯୋଗ ଉପରେ ଏଥିରେ ବିଶେଷ ଧ୍ୟାନ ଦିଆଯାଇଛି ।
ପ୍ରସ୍ତାବିତ ନୀତିରେ ରାସ୍ତାର ସ୍ଥାନ ବଂଟନ କ୍ଷେତ୍ରରେ ପଥଚାରୀ, ସାଇକେଲ ଚାଳକ, ଦିବ୍ୟାଙ୍ଗ ବ୍ୟକ୍ତି, ଜରୁରୀକାଳୀନ ସେବା ଏବଂ ସାଧାରଣ ପରିବହନକୁ ପ୍ରାଥମିକତା ଦେବାର ବ୍ୟବସ୍ଥା ରହିଛି । ଏଥିସହ ପାର୍କିଂ ବ୍ୟବସ୍ଥାର ବୈଜ୍ଞାନିକ ଓ ସ୍ଥାନଭିତିକ ଯୋଜନା ପାଇଁ ସହରସ୍ତରୀୟ ପାର୍କିଂ ମାଷ୍ଟର ପ୍ଲାନ୍ ଏବଂ ଅଂଚଳଭିତିକ ପାର୍କିଂ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ପ୍ରସ୍ତାବ ରହିଛି ।
ପାର୍କିଂ ଚାହିଦା ଅନୁଯାୟୀ ଶୁଳ୍କ ନିର୍ଦ୍ଧାରଣ, ରାସ୍ତାକଡ଼ ଓ ରାସ୍ତା ବାହାରେ ଥିବା ପାର୍କିଂ ସ୍ଥଳ ପାଇଁ ଭିନ୍ନ ଭିନ୍ନ ଶୁଳ୍କ ବ୍ୟବସ୍ଥା, ଡିଜିଟାଲ୍ ପାର୍କିଂ ଅନୁମତିପତ୍ର, ରିଅଲ୍ ଟାଇମ୍ ପାର୍କିଂ ସୂଚନା, ଇଲେକ୍ଟ୍ରୋନିକ୍ ଦେୟ ବ୍ୟବସ୍ଥା ଏବଂ ପ୍ରଯୁକ୍ତିବିଦ୍ୟାଭିତିକ ତଦାରଖ ଭଳି ପ୍ରମୁଖ ବ୍ୟବସ୍ଥା ଏହି ନୀତିରେ ସ୍ଥାନ ପାଇଛି । ଏଥିସହ ଉପଲବ୍ଧ ପାର୍କିଂ ସ୍ଥଳଗୁଡ଼ିକର ମିଳିତ ବ୍ୟବହାର, ବୈଦ୍ୟୁତିକ ଯାନ ପାଇଁ ଉପଯୁକ୍ତ ପାର୍କିଂ ସୁବିଧା ଏବଂ ସାଧାରଣ ପରିବହନ ଓ ଅଣ-ମୋଟର ଚାଳିତ ଯାତାୟାତ ବ୍ୟବସ୍ଥା ସହ ପାର୍କିଂ ଭିତିଭୂମିର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି ।
ବାଣିଜ୍ୟିକ ଅଂଚଳ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଆବାସିକ ଅଂଚଳ, ଶିଳ୍ପାଂଚଳ ଓ ପରିବହନ କେନ୍ଦ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ପାର୍କିଂ ଏବଂ ଯାତାୟାତ ପରିଚାଳନା ବ୍ୟବସ୍ଥାର ପ୍ରସ୍ତାବ ରହିଛି । ଏହାର ସଫଳ କାର୍ଯ୍ୟକାରିତା ଓ ନିୟମର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ପୌରସଂସ୍ଥା, ଟ୍ରାଫିକ୍ ପୋଲିସ ଏବଂ ଅନ୍ୟ ସମ୍ପୃକ୍ତ କର୍ତୃପକ୍ଷଙ୍କ ମଧ୍ୟରେ ଉତମ ସମନ୍ୱୟ ସ୍ଥାପନ ଉପରେ ମଧ୍ୟ ଏହି ନୀତିରେ ଗୁରୁତ୍ୱ ଦିଆଯାଇଛି ।
ସହରୀ ଯାତାୟାତ ଯୋଜନା ଓ ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ସମ୍ପର୍କିତ ଆଲୋଚନାରେ ଭବିଷ୍ୟତର ସହରୀ ଭିତିଭୂମି ଓ ଯାତାୟାତ ସମ୍ପର୍କିତ ପଦକ୍ଷେପଗୁଡ଼ିକର ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ମତବିନିମୟ ହୋଇଥିଲା । ସେହିପରି ଜିଲ୍ଲା ସହର ଉନ୍ନୟନ ସଂସ୍ଥା ଗୁଡ଼ିକର କାର୍ଯ୍ୟଧାରା ସମୀକ୍ଷା କରାଯାଇ ଅନୁଷ୍ଠାନିକ ଦକ୍ଷତା ବୃଦ୍ଧି ଓ ସହରୀ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ଦକ୍ଷତାର ସହ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ବିଭାଗର ଚାଲୁ ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ଆକଳନ କରିବା ସହ ନୂତନ ପ୍ରାଥମିକତା ଓ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ରାଜ୍ୟରେ ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ବିଭାଗର ବିଭିନ୍ନ ଶାଖା ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା