
ରାଂଚି, ୨୪ ଫେବୃଆରୀ (ହି.ସ.)- ଝାଡ଼ଖଣ୍ଡ ବିଧାନସଭା ବଜେଟ୍ ଅଧିବେଶନର ପଂଚମ ଦିନରେ ମଙ୍ଗଳବାର ଅର୍ଥମନ୍ତ୍ରୀ ରାଧାକୃଷ୍ଣ କିଶୋର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୫୮,୫୬୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ପୂର୍ବ ଆର୍ôଥକ ବର୍ଷ ତୁଳନାରେ ପ୍ରାୟ ନଅ ପ୍ରତିଶତ ଅଧିକ । ଏହା ତାଙ୍କର ଲଗାତାର ଦ୍ୱିତୀୟ ବଜେଟ୍ । ଏହି ବଜେଟ୍ କୁ 'ଅବୁଆ ଦିଶୋମ' ବଜେଟ୍ ନାମ ଦିଆଯାଇଛି । ତାଙ୍କ ଭାଷଣ ସମୟରେ ମନ୍ତ୍ରୀ କହିଥିଲେ ଯେ, ଆଜି ଦିଶୋମ ଗୁରୁଙ୍କ ଅନୁପସ୍ଥିତି ଅନୁଭୂତ ହେଉଛି ।
ଉଲ୍ଲେଖନୀୟ ଯେ, ଗତ ବର୍ଷ ସେ ୧,୪୫,୪୦୦ କୋଟି ଟଙ୍କାର ମୂଳ ବଜେଟ୍ ଉପସ୍ଥାପନ କରିଥିଲେ, ଯେଉଁଥିରେ ଯୋଜନା ପାଣ୍ଠି ପାଇଁ ୯୧,୭୪୧.୫୩ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଯୋଜନା ପାଇଁ ୧୭,୦୭୩.୬୧ କୋଟି ଟଙ୍କା ଅନ୍ତର୍ଭୁକ୍ତ ଥିଲା । ଏଥର ବଜେଟ୍ ରେ ସାମାଜିକ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଅର୍ଥମନ୍ତ୍ରୀ ରାଧାକୃଷ୍ଣ କିଶୋର ଗୃହରେ କହିଥିଲେ ଯେ, ଏହି ବଜେଟ୍ ଝାଡ଼ଖଣ୍ଡବାସୀଙ୍କ ମୁହଁରେ ହସ ଫୁଟାଇବ । ସରକାର ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶକ୍ତି ଏବଂ ଶିକ୍ଷାକୁ ପ୍ରାଥମିକତା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ, ସଦନକୁ ଆସିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ତାଙ୍କ ପତ୍ନୀ ଦହି ଏବଂ ଚିନି ଖୁଆଇ ଶୁଭକାମନା ଜଣାଇଥିଲେ । ଏହି ସମୟରେ ଅର୍ଥ ସଚିବ ପ୍ରଶାନ୍ତ କୁମାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଅର୍ଥମନ୍ତ୍ରୀଙ୍କ ପତ୍ନୀ ଆଶା ପ୍ରକାଶ କରିଥିଲେ ଯେ, ପୂର୍ବ ବଜେଟ୍ ପରି ଏଥର ମଧ୍ୟ ମହିଳାମାନଙ୍କ ସ୍ୱାର୍ଥକୁ ବିଶେଷ ଗୁରୁତ୍ୱ ଦିଆଯିବ ।
ସରକାର ଜୋର୍ ଦେଇ କହିଛନ୍ତି ଯେ, ଏହି ବଜେଟ୍ ସାମାଜିକ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ସୁଦୃଢ଼ କରିବ । ଗରିବ, ମହିଳା ଏବଂ ଦୁର୍ବଳ ବର୍ଗକୁ ପ୍ରାଥମିକତା ଦେବା ସହିତ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦିଆଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବଜେଟ୍ ରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସିଧାସଳଖ ଲୋକଙ୍କ ଜୀବନକୁ ପରିବର୍ତନ କରିବ ଏବଂ ରାଜ୍ୟରେ ବିକାଶକୁ ତ୍ୱରାନ୍ୱିତ ଏବଂ ସୁଦୃଢ଼ କରିବାରେ ସାହାଯ୍ୟ କରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ