
ନୂଆଦିଲ୍ଲୀ, 26 ଫେବୃଆରୀ (ହି.ସ.) କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପ୍ରୟୋଗ ଦ୍ୱାରା ଦେଶର ସାଧାରଣ ସ୍ୱାସ୍ଥ୍ୟସେବାରେ ବ୍ୟାପକ ରୂପାନ୍ତରଣ ସମ୍ଭବ ହୋଇପାରିଛି। କେବଳ ଯେ ସରକାରୀ କ୍ଷେତ୍ରରେ ଏହି ରୂପାନ୍ତରଣ ସୁଦୃଶ୍ୟ ତାହା ନୁହେଁ, ବରଂ ଘରୋଇ କ୍ଷେତ୍ରରେ ମଧ୍ୟ ଏଆଇ ଟେକ୍ନୋଲୋଜିର ଉପଯୋଗ ରୋଗ ନିରୂପଣଠାରୁ ଆରମ୍ଭ କରି ଔଷଧ ପ୍ରଦାନ ଯାଏଁ ସବୁ କିଛି କାର୍ଯ୍ୟକୁ ଅତ୍ୟନ୍ତ ସରଳ ଓ ସହଜ କରିପାରିଛି। ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାଗୁଡ଼ିକୁ ସମ୍ମିଳିତ କରି ଭାରତ ସରକାର 'ସାର୍ବଜନୀନ ସ୍ୱାସ୍ଥ୍ୟ ସେବା' ପ୍ରତି ନିଜର ପ୍ରତିବଦ୍ଧତା ପୂରଣ କରୁଛନ୍ତି-ଯାହା ପ୍ରକୃତରେ ସେବା ବିତରଣ କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରୁଛି, ଚିକିତ୍ସା ସେବା ଓ ଉତ୍ପାଦର ମାନ ବୃଦ୍ଧି କରୁଛି ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁଲଭ ଚିକିତ୍ସା ସୁନିଶ୍ଚିତ କରୁଛି।
'ସର୍ବଜନ ହିତାୟ, ସର୍ବଜନ ସୁଖାୟ'ର ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇ କେନ୍ଦ୍ର କ୍ୟାବିନେଟ୍ ମାର୍ଚ୍ଚ ୨୦୨୪ରେ 'ଇଣ୍ଡିଆ ଏଆଇ' ମିଶନ୍ ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ଅନ୍ତର୍ଭୁକ୍ତ ବିକାଶକୁ ତ୍ୱରାନ୍ୱିତ କରିବା, ଶାସନ ପ୍ରକ୍ରିୟାକୁ ମଜବୁତ କରିବା ଏବଂ ସ୍ୱାସ୍ଥ୍ୟସେବା ସମେତ ଜନସେବା ବିତରଣରେ ଉନ୍ନତି ଆଣିବା ପ୍ରଭୃତି ସରକାରଙ୍କ ଲକ୍ଷ୍ୟ ରହିଥିଲା। ଏହି ସାମଗ୍ରିକ ଆଭିମୁଖ୍ୟକୁ ଭିତ୍ତି କରି ୨୦୪୭ ସୁଦ୍ଧା 'ବିକଶିତ ଭାରତ' ଗଠନ ଅଭିଯାନର ଏକ ଅଂଶ ଭାବେ ସ୍ୱାସ୍ଥ୍ୟସେବା ବିତରଣକୁ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।
ସେଥିଲାଗି ‘ପ୍ରଯୁକ୍ତିବିଦ୍ୟାର ଗଣତାନ୍ତ୍ରିକରଣ’ ଏବଂ ‘ମାନବିକତା ପାଇଁ ପ୍ରଯୁକ୍ତିବିଦ୍ୟା’କୁ ଗୁରୁତ୍ୱ ଦିଆଯାଇଛି। ଟେକ୍ନୋଲୋଜିର ଗଣତାନ୍ତ୍ରିକରଣ ସୁନିଶ୍ଚିତ କରୁଛି ଯେ ଗ୍ରାମାଞ୍ଚଳ ଏବଂ ସେବା ବଞ୍ଚିତ ଜନସଂଖ୍ୟା ସମେତ ସମାଜର ସମସ୍ତ ବର୍ଗଙ୍କ ପାଖରେ ଏଆଇ ଉପକରଣଗୁଡ଼ିକ ପହଞ୍ଚିପାରିବ। ସେହିପରି କେବଳ ବୈଷୟିକ ଅଗ୍ରଗତି ପାଇଁ ନୁହେଁ, ବରଂ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଆହ୍ୱାନର ସମାଧାନ, ଜୀବନଶୈଳୀର ମାନରେ ଉନ୍ନତି ଏବଂ ଜନସାଧାରଣଙ୍କ ମଙ୍ଗଳ ପାଇଁ ଏଆଇକୁ ନିୟୋଜିତ କରିଯାଇପାରିବ।
କେନ୍ଦ୍ର ସରକାର ବହୁ ବର୍ଷ ପୂର୍ବରୁ ସ୍ୱାସ୍ଥ୍ୟସେବା ବିତରଣ କ୍ଷେତ୍ରରେ ଏଆଇର ରୂପାନ୍ତରଣକାରୀ ସାମର୍ଥ୍ୟକୁ ଚିହ୍ନଟ କରିଥିଲେ। ୨୦୧୮ ମସିହାରେ, ନୀତି ଆୟୋଗ 'କୃତ୍ରିମ ବୁଦ୍ଧିମତା ପାଇଁ ଜାତୀୟ ରଣନୀତି' ପ୍ରକାଶ କରିଥିଲେ, ଯେଉଁଥିରେ ବିଭିନ୍ନ କ୍ଷେତ୍ରରେ ଏହାର ଅସଂଖ୍ୟ ପ୍ରୟୋଗ ମଧ୍ୟରେ ଏଆଇ, ରୋବୋଟିକ୍ସ ଏବଂ ଇଣ୍ଟରନେଟ୍ ଅଫ୍ ମେଡିକାଲ୍ ଥିଙ୍ଗସକୁ ସ୍ୱାସ୍ଥ୍ୟସେବାର ନୂତନ ସ୍ନାୟୁ ପ୍ରଣାଳୀ ଭାବରେ ପରିକଳ୍ପନା କରାଯାଇଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମ ଦ୍ୱାରା ଗୃହୀତ ଏଆଇ-ଚାଳିତ ଉପକରଣଗୁଡ଼ିକ ସମଗ୍ର ଭାରତରେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞତାକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଉଛି। ଉଦାହରଣ ସ୍ୱରୂପ, ଏହି ଉପକରଣଗୁଡ଼ିକ ଆଗଧାଡିର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଯକ୍ଷ୍ମା (ଟିବି) ଏବଂ ଡାଇବେଟିକ୍ ରେଟିନୋପାଥି ପାଇଁ ସ୍କ୍ରିନିଂ କରିବାକୁ ସକ୍ଷମ କରୁଥିବାବେଳେ ଦେଶବ୍ୟାପୀ ୨୮୨ ମିଲିୟନ୍ ଟେଲିମେଡିସିନ୍ ପରାମର୍ଶରେ ସହାୟତା କରୁଛି। ଏହି ମିଳିତ ପ୍ରୟାସଗୁଡ଼ିକ ମାପଯୋଗ୍ୟ ପ୍ରଭାବ ପକାଇଛି, ଯେଉଁଥିରେ ଯକ୍ଷ୍ମାଜନିତ ପ୍ରତିକୂଳ ପରିଣାମରେ ୨୭ ପ୍ରତିଶତ ହ୍ରାସ ଏବଂ ରୋଗ ଚିହ୍ନଟ କ୍ଷେତ୍ରରେ ୧୨-୧୬ ପ୍ରତିଶତ ବୃଦ୍ଧି ଅନ୍ତର୍ଭୁକ୍ତ।
ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଗ୍ଲୋବାଲ ସାଉଥ୍ (Global South)ର ପ୍ରଥମ ଆନ୍ତର୍ଜାତିକ ଏଆଇ ସମ୍ମିଳନୀ ୧୬ ରୁ ୨୦ ଫେବୃଆରୀ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଛି। ଏଠାରେ ବିଶ୍ୱସ୍ତରୀୟ ନେତା, ନୀତି ନିର୍ଦ୍ଧାରକ, ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ, ନବୋନ୍ମେଷକ ଏବଂ ବିଶେଷଜ୍ଞମାନେ ଏକତ୍ରିତ ହୋଇ ଏଆଇ-କେନ୍ଦ୍ରିକ ନୀତି, ଅନୁସନ୍ଧାନ, ଶିଳ୍ପ ଏବଂ ଜନସାଧାରଣଙ୍କ ସହଭାଗିତା ଉପରେ ଆଲୋଚନା କରିଛନ୍ତି। ଅନେକ ପରାମର୍ଶ ବି ଏଠାରେ ସାମ୍ନାକୁ ଆସିଛି।
ସ୍ୱାସ୍ଥ୍ୟସେବା ବିତରଣରେ ଏଆଇ
ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏଆଇ ବିଭିନ୍ନ ଜନସ୍ୱାସ୍ଥ୍ୟ ପଦକ୍ଷେପଗୁଡ଼ିକୁ ଉନ୍ନତ ଭାବରେ ପ୍ରଦାନ କରିବାରେ ସକ୍ଷମ ହୋଇଛି। ଏହା ଦର୍ଶାଉଛି ଯେ କିପରି ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ସମାଧାନଗୁଡ଼ିକ ସ୍ଥାୟୀ ବିକାଶମୂଳକ ଆହ୍ୱାନଗୁଡ଼ିକର ସମାଧାନ କରିପାରିବ ଏବଂ ଅନ୍ତର୍ଭୁକ୍ତ ତଥା ସାମଗ୍ରିକ ସାମାଜିକ ବିକାଶକୁ ପ୍ରୋତ୍ସାହିତ କରିପାରିବ। ଏହା ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତର ଆତ୍ମାକୁ ପ୍ରତିଫଳିତ କରେ।
୨୦୨୨ ରୁ ୨୦୨୫ ମସିହା ମଧ୍ୟରେ, ଭାରତ ଏକ ସମନ୍ୱିତ ରଣନୀତିରେ ଏଆଇକୁ ଅନ୍ତର୍ଭୁକ୍ତ କରି ନିଜର ଜନସ୍ୱାସ୍ଥ୍ୟ ବିତରଣ ବ୍ୟବସ୍ଥାକୁ ମୌଳିକ ଭାବରେ ପୁନଃନିର୍ମାଣ କରିଛି, ଯାହା ବିଶେଷଜ୍ଞଙ୍କ ଅଭାବକୁ ଦୂର କରୁଛି ଏବଂ ସକ୍ରିୟ ଚିକିତ୍ସା ସେବାକୁ ବ୍ୟାପକ କରୁଛି। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ, ଜାତୀୟ ଡାଇବେଟିକ୍ ରେଟିନୋପାଥି ସ୍କ୍ରିନିଂ କାର୍ଯ୍ୟକ୍ରମ ଏବଂ ମିଡିଆ ରୋଗ ନୀରିକ୍ଷଣ ପ୍ରଣାଳୀରେ ଏଆଇ-ସକ୍ଷମ ଉପକରଣଗୁଡ଼ିକୁ ନିୟୋଜିତ କରି ସରକାର ଅଣ-ବିଶେଷଜ୍ଞମାନଙ୍କୁ ଉଚ୍ଚସ୍ତରୀୟ ସ୍କ୍ରିନିଂ କରିବାକୁ ସକ୍ଷମ କରିଛନ୍ତି, ଯାହାଫଳରେ ଯକ୍ଷ୍ମାଜନିତ ପ୍ରତିକୂଳ ପରିଣାମରେ ୨୭ ପ୍ରତିଶତ ହ୍ରାସ ଏବଂ ୪,୫୦୦ ରୁ ଅଧିକ ମହାମାରୀ ସତର୍କତା ମିଳିଛି।
ଏହି ରୂପାନ୍ତରଣ ଇ-ସଞ୍ଜିବନୀ ମାଧ୍ୟମରେ ଅଧିକ ସୁଦୃଢ଼ ହୋଇଛି, ଯାହା ଏଆଇ-ସହାୟକ ରୋଗ ନିରୂପଣ ସହିତ ୨୮୨ ମିଲିୟନ୍ ପରାମର୍ଶରେ ସହାୟତା କରିଛି। ଅପପୁଷ୍ଟି ନିରୀକ୍ଷଣ ପାଇଁ 'ଉଦ୍ୟୋଗ ଯନ୍ତ୍ର ଏଆଇ ସିଷ୍ଟମ' ବ୍ୟବହୃତ ହେଉଛି। ଏହା ଏକ ବ୍ୟାପକ ସ୍ୱାସ୍ଥ୍ୟ ପରିବେଶ ସୃଷ୍ଟି କରିଛି ଯାହା ସଂକ୍ରାମକ ରୋଗ ପରିଚାଳନା ଏବଂ କର୍କଟ ଚିକିତ୍ସା ଠାରୁ ଆରମ୍ଭ କରି ପାରମ୍ପରିକ ଆୟୁର୍ବେଦୀୟ ଚିକିତ୍ସାର ଆଧୁନିକୀକରଣ ଏବଂ 'ନ୍ୟାସନାଲ୍ ୱାନ୍ ହେଲ୍ଥ୍ ହେଲ୍ଥପ୍ରୋଗ୍ରାମ୍'କୁ ସଶକ୍ତ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ