ଝରଘାଟିରେ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ବାର୍ଷିକୀ
ଝରଘାଟିରେ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ବାର୍ଷିକୀ
ଝରଘାଟିରେ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ବାର୍ଷିକୀ


ସମ୍ବଲପୁର, ୨୮, ଫେବ୍ରୁଆରୀ (ହି.ସ.)

ସ୍ବାଧୀନତା ସଂଗ୍ରାମରେ ପଶ୍ଚିମ ଓଡ଼ିଶାର ବୀର ସୁରେନ୍ଦ୍ର ସାଏଙ୍କ ମହାପ୍ରୟାଣ ଦିବସ ଅବସରରେ ଓଡି଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଆଜି ସୁରେନ୍ଦ୍ର ସାଏଙ୍କୁ ତାଙ୍କର ଅନ୍ୟତମ ଦୁର୍ଗ ଝରଘାଟୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସଭାପତି ଡ. ପରେଶ ଚନ୍ଦ୍ର ଦାନୀଙ୍କ ନେତୃତ୍ୱରେ ସାଂସ୍କୃତିକ ସମାଜର ସଦସ୍ୟ ମାନେ ଝରଘାଟୀ ଉପରକୁ ଯାଇ ସୁରେନ୍ଦ୍ର ସାଏଙ୍କ ସାହସ, ଧୈର୍ଯ୍ୟ ଓ ବଳିଦାନକୁ ସ୍ମରଣ କରିଥିଲେ। ଦ୍ବିତୀୟ ଚରଣର ସମ୍ଵଲପୁର ସଶସ୍ତ୍ର ସଂଗ୍ରାମରେ ସଂଗ୍ରାମୀ ମାନଙ୍କ ପ୍ରତି ତତ୍କାଳୀନ ବ୍ରିଟିଶ ସେନା ସର୍ବପ୍ରଥମ ଆକ୍ରମଣ ଝରଘାଟୀରେ ୧୮୫୭ ନଭେମ୍ବର ୫ ତାରିଖରେ କରିଥିଲା। ୧୮୫୮ ଜାନୁଆରୀ ୭ ତାରିଖ ସମେତ ଆଉ କେଇ ବାର ମଧ୍ୟ ଝରଘାଟୀ ଉପରେ ପ୍ରବଳ ଆକ୍ରମଣ କରିଥିଲେ। ଝରଘାଟୀ ଆରୋହଣ ପୂର୍ବରୁ ଅନୁଷ୍ଠାନର ଏହି ପ୍ରତିନିଧି ଦଳ ନୂଆଁ ରମ୍ପେଲା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରିଥିଲେ। ଡ଼. ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତାରୂପେ ଯୋଗ ଦେଇ ଦୀପକ କୁମାର ପଣ୍ଡା ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ପରିଚାଳିତ ସମ୍ବଲପୁର ସଂଗ୍ରାମର ମହତ୍ତ୍ଵ ଓ ବିଶେଷତ୍ତ୍ୱ ବର୍ଣ୍ଣନା କରିଥିଲେ । ସୁରେନ୍ଦ୍ର ସାଏଙ୍କ ସାଥି ତଥା ରମ୍ପେଲା ଗଉଁତିଆ ଲୋକନାଥ ପଣ୍ଡାଙ୍କ ସମ୍ପର୍କରେ ମଧ୍ୟ କହିଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଜେନା ସ୍ବାଗତ ଭାଷଣ ଏବଂ ରାମାନୁଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ସକାଳେ ସମ୍ବଲପୁରରେ ମଧ୍ୟ ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande