
ଭଦ୍ରକ, ୨୮ ଫେବୃୟାରୀ (ହି.ସ.) - କମ୍ପାନୀ ପ୍ରଚାର ପାଇଁ କମ ମୂଲ୍ୟରେ ଜିନିଷ ଯୋଗାଇ ଦିଆଯାଉଛି ଏଣୁ ପସନ୍ଦର ଜିନିଷ ଅଧା ଦାମ କିମ୍ବା କମ ମୂଲ୍ୟରେ ଯୋଗାଇ ଦେବାକୁ ଲୋଭ ଦେଖାଇ ବୁଲା ବିକାଳି ଠକି ଦେଇଥିବା ଜଣା ଯାଇଛି।ଭଣ୍ଡାରିପୋଖରୀ ବ୍ଲକରେ କାର୍ଯରତ ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ନାୟକ ଏହିପରି ଏକ ଠକାମିର ଶିକାର ହୋଇଥିବା ଜଣାପଡିଛି।ଗତ ୨୨ ତାରିଖ ଦିନ ନିଜ ଘର କଲ୍ୟାଣିରେ ଥିବା ବେଳେ ଦୁଇଜଣ ଯୁବକ ବିଭିନ୍ନ ଜିନିଷ ବିକ୍ରି କରୁଛନ୍ତି ବୋଲି କହି ତାଙ୍କ ନିକଟରେ ପହଂଚି ଥିଲେ।୩୫୦ ଟଙ୍କାର କୁପନ ଦେଇ ଗୋଟିଏ ଜିନିଷ ମାଗଣାରେ ଦେବାକୁ କହି ଗ୍ରାଇଣ୍ଡର, ପ୍ରେସର କୁକର,ସୌର ଚୁଲା ଭଳି ନାନା ଜିନିଷର ତାଲିକା ଦେଇଥିଲେ।ଶ୍ରୀ ନାୟକ ସୌର ଚୁଲା ରଖିବା ପରେ ପରବର୍ତୀ ଦ୍ରବ୍ୟ ଅଧା ଦାମରେ ମିଳିବ ବୋଲି କହି ବିଭିନ୍ନ ଜିନିଷ ତାଲିକା ଦେବା ପରେ ଶ୍ରୀ ନାୟକ ଏକ ସାଇକେଲ କିଣିବା ପାଇଁ ଆଗ୍ରହ ଦେଖାଇଥିଲେ।ସାଇକେଲ ମୂଲ୍ୟର ଅଧାଦାମ ବାବଦରେ ୪ହଜାର ଟଙ୍କା ଦେବା ପାଇଁ ବିକ୍ରେତା ଯୁବକ କହିବା ସହ ଟଙ୍କା ଦେବାର ଘଂଟାଏ ପରେ ସାଇକେଲ ମିଳିବ ବୋଲି କହିଥିଲେ।ଶ୍ରୀ ନାୟକ ଫୋନ ପେ ଯୋଗେ ୪ ହଜାର ଟଙ୍କା ଦେଇଥିଲେ।ମାତ୍ର ସାଇକେଲ ମିଳିବା ତ ଦୂରର କଥା ଯୁବକଙ୍କ ଦ୍ୱାରା ଦିଆଯାଇଥିବା ଫୋନ ନମ୍ବର କେହି ଧରୁ ନଥିବା ଶ୍ରୀ ନାୟକ କହିଛନ୍ତି।ସେ ଯେଉଁ ଫୋନ ପେ ନମ୍ବରରେ ଟଙ୍କା ପଠାଇଛନ୍ତି ସେ ମଧ୍ୟ କୌଣସି ଉତର ଦେଉ ନାହାନ୍ତି ବୋଲି ଶ୍ରୀ ନାୟକ କହିବା ସହ ଠକେଇର ଶିକାର ହୋଇଛନ୍ତି ଜାଣିବା ପରେ ଗଣମାଧ୍ୟମ ଜରିଆରେ ଅନ୍ୟ ମାନଙ୍କୁ ସଚେତନ କରାଇବା ପାଇଁ ନିଜ ବୋକାମି ବଖାଣିଛନ୍ତି।ଏଥିନେଇ ସେ ଏପର୍ଯ୍ୟନ୍ତ ପୁଲିସକୁ ଅଭିଯୋଗ ଦେଇ ନଥିବା କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ