
କନ୍ଧମାଳ, ୨୮ ଫେବୃଆରୀ (ହି.ସ.)-
ଫୁଲବାଣୀ ସହରର ସିରିଡିସାଇ ମନ୍ଦିର ନିକଟରେ, ପୋଲିସ ଜଣେ କନେଷ୍ଟବଳଙ୍କୁ ଦିନ ଦିପହରେ ଦୁଇ ଜଣ ନିଶାଗ୍ରସ୍ତ ଯୁବକ ମରଣାନ୍ତକ ଆକ୍ରମଣ କରି ତଳେ ପକେଇ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ, ଫୁଲବାଣୀର ସାମ୍ବାଦିକ ମାନେ ପୋଲିସ କର୍ମଚାରୀଙ୍କୁ ଦୃବର୍ତ୍ତଙ୍କ ଆକ୍ରମଣରୁ ବଞ୍ଚାଇଥିଲେ । ସୂଚନା ଅନୁସାରେ, ଦୁଇ ଜଣ ମଦୁଆ ଓ ଗୁଣ୍ଡା ଶ୍ରେଣୀର ଯୁବକ ଜଣେ ପୋଲିସ କର୍ମଚାରୀଙ୍କୁ କୌଣସି କାରଣରୁ ଝଗଡା ପରେ ତଳେ ପକେଇ ଗୋଇଠା ଉପରେ ଗୋଇଠା ମୁହଁ, ବେକ, ଛାତିକୁ ମାରି ଚାଲିଥିଲେ । ଉପସ୍ଥିତ ଲୋକମାନେ ଏ ଦୃଶ୍ୟ ଦେଖୁଥିବା ବେଳେ ଭୟରେ କେହି ସାମ୍ନାକୁ ଆସି ନଥିଲେ । ଏକ ଚା ଦୋକାନରେ ଫୁଲବାଣୀର କିଛି ଟିଭି ସାମ୍ବାଦିକ ଛିଡ଼ା ହୋଇଥିବା ବେଳେ, ଏହି ଦୃଶ୍ୟ ଦେଖି ପାଟି କରିବା ସହ ପୋଲିସକୁ ଖବର ଦେଇଥିଲେ । ପରେ ଉପସ୍ଥିତ ଲୋକ ମାନଙ୍କୁ ଡାକି ଦୁଇ ମଦୁଆଙ୍କ କବଳରୁ ପୋଲିସ କର୍ମଚାରୀଙ୍କୁ ବଞ୍ଚାଇବା ସହ ସାମ୍ବାଦିକ ମାନେ ନିଜ କାର ରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଫୁଲବାଣୀ ଆଦର୍ଶ ଥାନା ପୋଲିସ ପହଞ୍ଚି ଦୁଇ ଦୁର୍ବୁତଙ୍କୁ ଗିରଫ କରିବା ସହ ମେଡିକାଲ ନେଇ ପ୍ରାଥମିକ ଚିକିତ୍ସା ପରେ ଥାନାରେ ଅଟକ ରଖିଛି । ଏହି ଘଟଣା ସଂପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଆହତ ପୋଲିସ କର୍ମଚାରୀଙ୍କ ପତ୍ନୀ ମଧ୍ୟ ପୋଲିସ କର୍ମଚାରୀ ଅଛନ୍ତି । ଦୁଇ ଦୃବର୍ତ୍ତ ସନ୍ତୋଷ କୁମାର ପ୍ରଧାନ, ଅଞ୍ଜନ କୁମାର ସ୍ଵାଇଁ ଫୁଲବାଣୀ ସହରରେ ଦିନବେଳେ ଯଦି ପୋଲିସ କର୍ମଚାରୀ ଉପରକୁ ଆକ୍ରମଣ କରିଛନ୍ତି, ତାହେଲେ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ଦାବି କରିଛନ୍ତି ଫୁଲବାଣୀ ସହରରେ ମଦ୍ୟପ, ଅସାମାଜିକ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ କନେଷ୍ଟବଳ ଜଣକ ଦାରିଙ୍ଗବାଡ଼ି ଥାନାରେ ନିୟୋଜିତ ଥିବାବେଳେ କାର୍ଯ୍ଯରୁ ନିଲମ୍ବିତ ହୋଇଛନ୍ତି। ତାଙ୍କୁ ଆଜି ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ଅଫିସରେ ରିପୋର୍ଟ କରିବାର ଥିଲା। ହେଲେ ଆଜି ତାଙ୍କ ସହିତ ଏହିଭଳି ଘଟଣା ଘଟିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ