
ଜୟପୁର, ୨୮ ଫେବୃଆରୀ (ହି.ସ.)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ଅତି ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ଦିନ ପ୍ରଥମେ ଶିଶୁ ଭାଇ ଭଉଣୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯେପରିକି – ବିଜ୍ଞାନ ପ୍ରଶ୍ନମଂଚ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପ୍ରକଳ୍ପ ଇତ୍ୟାଦି ଅନୁଷ୍ଠିତ କରାଯାଇଥିଲା । ପ୍ରତିଯୋଗିତା ପରେ ଦ୍ୱିତୀୟ ଅଧିବେଶନରେ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସମସ୍ତ ଶିଶୁଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥିଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କ୍ଷୀରୋଦ କୁମାର ଭଟ୍ଟ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ।
ସେହିପରି ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି କିଶୋର ଚନ୍ଦ୍ର ପଣ୍ଡା, ସଂପାଦକ ବିଜୟ କୁମାର ଭଟ୍ଟ, ବିଦ୍ୟାଳୟର ପ୍ରମୁଖ ବିଜ୍ଞାନ ଶିକ୍ଷକ ଦିଲ୍ଲୀପ କୁମାର ଶତପଥୀ ଉପସ୍ଥିତ ରହି ଶିଶୁଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ନିଜର ଅଭିଭାଷଣରେ ଶିଶୁଙ୍କୁ ଭାରତର ଅଗ୍ରଗତିରେ ବିଜ୍ଞାନର ଭୂମିକା କ'ଣ ରହିଛି ସେ ବିଷୟରେ ଆଲୋକପାତ କରିଥିଲେ । ଶ୍ରୀ ଶତପଥୀ ଆଜିର ଦିବସର ଉଦ୍ଦେଶ୍ୟ ବିଷୟରେ ଶିଶୁଙ୍କୁ ଜଣାଇଥିଲେ । ସେହିପରି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅନନ୍ତ ନାରାୟଣ ମହାପାତ୍ର, ଅତିଥି ପରିଚୟ ପ୍ରଦାନ କରିଥିଲେ ବିଦ୍ୟାମନ୍ଦିର ବିଭାଗର ପର୍ଯ୍ୟାୟ ପ୍ରମୁଖ କୈଳାସ ଚନ୍ଦ୍ର ପଣ୍ଡା ଏବଂ କାର୍ଯ୍ୟକ୍ରମ ପରିଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ରାମଚନ୍ଦ୍ର ମହାନ୍ତି । ସମସ୍ତ ଗୁରୁଜୀ ଗୁରୁମା ଏବଂ ଅନ୍ୟାନ୍ୟ ସେବାବ୍ରତୀମାନେ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି