
ନୂଆପଡ଼ା,୨୮ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା କ୍ରୀଡ଼ା କ୍ରିକେଟ ଜଗତ ପାଇଁ ଏକ ଗର୍ବର ମୁହୂର୍ତ ଅଟେ। ଜିଲ୍ଲାର ଦୁଇ ଯୁବ କ୍ରୀଡ଼ାବିତ ସିନାପାଲିର ପ୍ରକାଶ ପାତ୍ର ଓ ବିଶିକେଶନ ବାଗ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ) ପକ୍ଷରୁ ଆୟୋଜିତ ଅମ୍ପାୟର ପରୀକ୍ଷା–୨୦୨୫ରେ ସଫଳତାର ସହ ଉତୀର୍ଣ୍ଣ ହୋଇ କ୍ରିକେଟ ଜଗତରେ ଜିଲ୍ଲାର ନାମକୁ ଗୌରବାନିତ କରିଛନ୍ତି। ରାଜ୍ୟର ଏହି ପରୀକ୍ଷାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୨୫ ଜଣ ପ୍ରାର୍ଥୀମାନଙ୍କ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ କ୍ରିକେଟ୍ ନିୟମାବଳୀ, ମ୍ୟାଚ୍ ପରିଚାଳନା ପ୍ରଣାଳୀ, ଖେଳ ନୀତି-ନିୟମ ଓ ପ୍ରାୟୋଗିକ ଜ୍ଞାନ ଉପରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା।
ସିନାପାଲିର ପ୍ରକାଶ ପାତ୍ର ଜଣେ ଉଚ୍ଚ କୋଟୀର କ୍ରୀଡ଼ା ଭାଷ୍ୟକାର ହେବାସହ ଟେନିସ କ୍ରିକେଟ୍ ଆସୋସିଏସନ୍ ଅଫ ଇଣ୍ଡିଆର ଜଣେ ମାନ୍ୟତା ପ୍ରାପ୍ତ ଅମ୍ପାୟର ଥିଲେ। ସେହିପରି କୋମନାର ବିଶିକେଶନ ବାଗ ଜଣେ କ୍ରୀଡ଼ା ଶିକ୍ଷକ ଏବଂ ଦୀର୍ଘଦିନ ଧରି ରାଜ୍ୟ ଓ ଜିଲ୍ଲାସ୍ତରର କ୍ରିକେଟ୍ ପ୍ରତିଯୋଗିତାମାନଙ୍କରେ ସକ୍ରିୟ ଭାବେ ବିଦ୍ୟାଳୟ ଖେଳମାନଙ୍କରେ ଅମ୍ପାୟରିଂ କରୁଥିବା ସହ ନିଜର କ୍ଷମତା ଓ ନିଷ୍ଠା ପ୍ରମାଣ କରିଆସୁଥିଲେ।
ଏହି ସଫଳତା ପାଇଁ ନୂଆପଡ଼ା ଜିଲ୍ଲା କ୍ରିକେଟ୍ ସଂଘର ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ(ଭୈରବ) ତଥା ଜିଲ୍ଲାର କ୍ରିକେଟ୍ ଖେଳାଳି ଓ କ୍ରୀଡ଼ା ପ୍ରେମୀ ଦୁଇଜଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଏହି ଉପଲବ୍ଧି ନୂଆପଡ଼ାର କ୍ରିକେଟ୍ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ଦେଇଛି। ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ମ୍ୟାଚ୍ଗୁଡ଼ିକରେ ଅମ୍ପାୟର ଭାବେ ନୂଆପଡ଼ା ଦୁଇ ଯୁବ ପ୍ରତିଭା ଦେଖାଯିବ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ