କଳସ ଶୋଭାଯାତ୍ରା ଉପରେ ମାଡ଼ିଗଲା ଟାଟା ଏସିଇ ଜଣେ କଳସଧାରୀ ମହିଳା ମୃତ, ପାଂଚ ଆହତ
ଖୋର୍ଦ୍ଧା, ୨୮ ଫେବ୍ରୁଆରି (ହି.ସ.) - ଆଜି ଶନି ମନ୍ଦିର ପ୍ରତିଷ୍ଠା ପାଇଁ ଏକ କଳସ ଶୋଭାଯାତ୍ରା ଯାଉଥିବା ବେଳେ ଏକ ଟାଟା ଏସିଇ ଗାଡ଼ି ଶୋଭାଯାତ୍ରା ଉପରେ ମାଡ଼ି ଯାଇଛି। ଘଟଣାରେ ଜଣେ କଳସଧାରୀ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହେବା
କଳସ ଶୋଭାଯାତ୍ରା ଉପରେ ମାଡ଼ିଗଲା ଟାଟା ଏସିଇ ଜଣେ କଳସଧାରୀ ମହିଳା ମୃତ, ପାଂଚ ଆହତ


ଖୋର୍ଦ୍ଧା, ୨୮ ଫେବ୍ରୁଆରି (ହି.ସ.) - ଆଜି ଶନି ମନ୍ଦିର ପ୍ରତିଷ୍ଠା ପାଇଁ ଏକ କଳସ ଶୋଭାଯାତ୍ରା ଯାଉଥିବା ବେଳେ ଏକ ଟାଟା ଏସିଇ ଗାଡ଼ି ଶୋଭାଯାତ୍ରା ଉପରେ ମାଡ଼ି ଯାଇଛି। ଘଟଣାରେ ଜଣେ କଳସଧାରୀ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ମୁକ୍ତାପୁର ଦଳବେହେରା ସାହିରେ। ସୂଚନା ମୁତାବକ, ଆଜି ଅପରାହ୍ଣ ସମୟରେ ଗାଁରେ ଏକ ଶନିଦେବଙ୍କର ମନ୍ଦିର ପ୍ରତିଷ୍ଠା ହେଉଥିଲା। ଗାଁରେ ଯଜ୍ଞ କାର୍ଯ୍ୟ ପୂର୍ବରୁ ଆଜି ଅପରାହ୍ଣରେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ପ୍ରାୟ ୩୦ଜଣ ମହିଳା ଏହି ଶୋଭାଯାତ୍ରାରେ ସାମିଲ୍ ହୋଇ ସ୍ଥାନୀୟ ପଣସଝର ଜଳାଶୟରୁ ପୂର୍ଣ୍ଣ ଜଳ କଳସ ଧରି ମନ୍ଦିର ନିକଟକୁ ଆସୁଥିଲେ। ଏହି ସମୟରେ ଜଣେ ମଦ୍ୟପ ଶୋଭାଯାତ୍ରା ପଛପଟୁ ଏକ ଟାଟା ଏସିଇ ଗାଡ଼ିକୁ ଆଣି ଚଢ଼ାଇ ଦେଇଥିଲା। ଘଟଣାରେ ଗାଁର ପ୍ରତିମା ବିଶ୍ୱାଳ(୫୦)ଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଯାଆ ମଞ୍ଜୁଲତା ବିଶ୍ୱାଳ, ପୁତୁରା ପ୍ରଶାନ୍ତ ବିଶ୍ୱାଳ, ରଶ୍ମିତା ସ୍ୱାଇଁ, ଲିପି ସ୍ୱାଇଁ, ଲକ୍ଷ୍ମୀପ୍ରିୟା ଘଡ଼େଇ ଓ ଜାଲି ସ୍ୱାଇଁ ଆହତ ହୋଇଛନ୍ତି। ତେବେ ଜାଲି ସ୍ୱାଇଁଙ୍କର ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ହେଲେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଏପର୍ଯ୍ୟନ୍ତ ଧରାପଡ଼ିନଥିବା ବେଳେ ଘଟଣା ଘଟାଇଥିବା ଡ୍ରାଇଭରକୁ ଗିରଫ କରାଯାଇନଥିବା ଶିଳ୍ପାଂଚଳ ପୋଲିସ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande