
ଯୁବପିଢ଼ିଙ୍କୁ ୱେଲଥ୍ କ୍ରିଏଟର ଭାବେ ତିଆରି କରିବା ଆମର ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ/ଭୁବନେଶ୍ୱର, ୨୮ ଫେବୃୟାରୀ (ହି.ସ)- ଅନୁଗୋଳର ଶିଳ୍ପ ସମୃଦ୍ଧିକୁ ଏକ ନୂତନ ଶିଖରରେ ପହଞ୍ଚାଇବା ସହ ଜିଲ୍ଲାରେ ଏକ ଅତ୍ୟାଧୁନିକ ବ୍ୟବସାୟିକ ବାତାବରଣ ପ୍ରସ୍ତୁତ କରିବା ଏବଂ ଯୁବପିଢ଼ିଙ୍କୁ ‘ୱେଲଥ୍ କ୍ରିଏଟର’ ଭାବେ ତିଆରି କରିବା ଆମର ମୂଳ ଲକ୍ଷ୍ୟ ହେବା ଦରକାର ବୋଲି ଶନିବାର ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ସଂଘ(ଏଡିସିସିଆଇ)ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି ଅବସରରେ ସେ ନିଜ ପୂଜ୍ୟ ପିତାଙ୍କ ସ୍ମୃତିରେ ‘ଡାକ୍ତର ଦେବେନ୍ଦ୍ର ପ୍ରଧାନ ବାଣିଜ୍ୟ ଭବନ’ର ଭୂମିପୂଜନ କରିବା ସହ ଏହା ଜିଲ୍ଲାର ବ୍ୟବସାୟିକ କାରବାରକୁ ଏକ ନୂତନ ଗତି ପ୍ରଦାନ କରିବ ବୋଲି ଆଶା ପ୍ରକଟ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ସଂଘର ୫୦ ବର୍ଷର ସଫଳ ଯାତ୍ରା ସମଗ୍ର ଜିଲ୍ଲାର ଅର୍ଥନୈତିକ ପ୍ରଗତିର ଏକ ଜ୍ୱଳନ୍ତ ପ୍ରତିଛବି । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଅନୁଗୋଳ ଆଜି ଓଡ଼ିଶା ସମେତ ସମଗ୍ର ଭାରତର ଶିଳ୍ପ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଅନୁଗୋଳ ହେଉଛି ଏକ ‘ଲଘୁ ଭାରତ’। ଏଠାରେ ଖଣି, ଖାଦାନ, କଳକାରଖାନା ସହ ବଡ଼ ବଡ଼ ବଜାର ମଧ୍ୟ ରହିଛି । କୋଇଲା, ଲୁହା, ଆଲୁମିନିୟମ ଏବଂ କେମିକାଲ୍ ଶିଳ୍ପ କ୍ଷେତ୍ରରେ ଏହି ଜିଲ୍ଲା ଓଡ଼ିଶା ତଥା ଭାରତକୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଛି । ବିଶେଷ କରି ବିଦ୍ୟୁତ୍ ଉତ୍ପାଦନରେ ଅନୁଗୋଳ ଦେଶର ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ଯାହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ।
ଏଠାରେ ଶିଳ୍ପ ସହିତ କୃଷି ଓ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, ଜିଲ୍ଲାର ବିକାଶ କେବଳ ଭାରୀ ଶିଳ୍ପ ମଧ୍ୟରେ ସୀମିତ ନରହି ଏହାକୁ କୃଷି, ପର୍ଯ୍ୟଟନ ଏବଂ ଏମଏସଏମଇ କ୍ଷେତ୍ରରେ ମଧ୍ୟ ସମ୍ପ୍ରସାରିତ କରିବା ପାଇଁ ଆମର ଲକ୍ଷ୍ୟ ରହିଛି । ଜିଲ୍ଲାରେ ଥିବା ପାଖାପାଖି ୨ ଲକ୍ଷ ହେକ୍ଟର ଚାଷ ଜମିକୁ ଆଧାର କରି ଏଗ୍ରୋ-ଇଣ୍ଡଷ୍ଟ୍ରିର ପ୍ରସାର କରାଯିବା ଦରକାର । ସେହିପରି ଟିକରପଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ତାଳଚେର-ଅନୁଗୋଳର ହୋଟେଲ ଶିଳ୍ପକୁ ନେଇ ଏକ ଅତ୍ୟାଧୁନିକ ପର୍ଯ୍ୟଟନ ହବ୍ ତିଆରି କରିବାର ଯୋଜନା ହେବା ଦରକାର ।
ସ୍ଥାନୀୟ ଯୁବପିଢ଼ିଙ୍କୁ କେବଳ ଚାକିରି ପଛରେ ନଧାଇଁ ନିଜେ ମାଲିକ ବା ‘ୱେଲଥ୍ କ୍ରିଏଟର’ ଭାବେ ଗଢ଼ିତୋଳିବା ଆମର ମୂଳ ଉଦ୍ଦେଶ୍ୟ ହେବା ଦରକାର । ଏଥିପାଇଁ ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ସଂଘର ସହଯୋଗରେ ଜିଲ୍ଲାରେ ଏକ ଅତ୍ୟାଧୁନିକ ବ୍ୟବସାୟିକ ବାତାବରଣ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି । ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତି ଏବଂ ୨୦୪୭ ର ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ କରିବାରେ ଅନୁଗୋଳର ଭୂମିକା ନିର୍ଣ୍ଣାୟକ ହେବ । ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ପରିମଳ ଓ ରୋଜଗାରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏକ ସମୃଦ୍ଧ ଅନୁଗୋଳ ଗଠନ କରାଯିବ । ସମୃଦ୍ଧ ଅନୁଗୋଳ ହିଁ ବିକଶିତ ଓଡ଼ିଶା ଓ ଏକ ସଶକ୍ତ ଭାରତ ଗଠନର ଅସଲ ମୂଳଦୁଆ ସାଜିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଏମଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ, ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣିଙ୍କ ସମେତ ବହୁ ବିଧାୟକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା