
ଧର୍ମଶାଳା, ୨୮ ଫେବୃଆରୀ (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ନରସିଂହପୁର ପଂଚାୟତସ୍ଥ ଘୋଳପୁରର ପ୍ରତ୍ୟକ୍ଷ ଦେବୀ ମା’ ଚଣ୍ଡିକାଙ୍କର ମନ୍ଦିର ଓ ପ୍ରତିମା ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଅଧିବାସ, ଅଙ୍କୁରାରୋପଣ ଓ ଧାନ୍ୟାଧିବାସଃ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ଦିନ ସକାଳୁ ସକାଳୁ ଶତାଧିକ ମହିଳା ଶ୍ରଦ୍ଧାଳୁ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସ୍ଥାନୀୟ ଖରସ୍ରୋତା ନଦୀରେ ବିଦ୍ୱାନ ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଏହି କଳସ ଶୋଭାଯାତ୍ରା ବିଭିନ୍ନ ଅଂଚଳ ପରିକ୍ରମା କରାଯାଇ ଯଜ୍ଞମଣ୍ଡପରେ ଘଟ ସ୍ଥାପନା କରାଯାଇଥିଲା । ପରେପରେ ଯଜ୍ଞ ଆରମ୍ଭ ହେବା ସହିତ ମା’ ଚଣ୍ଡିଙ୍କ ପ୍ରତିମାକୁ ଏକ ସୁସଜ୍ଜିତ ପାଲିଙ୍କିରେ ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବାକୁ ଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି କୁରୁଆଁ ଓ ଘୋଳପୁର ଗ୍ରାମବାସୀ ସୂଚନା ଦେଇଛନ୍ତି । ପଣ୍ଡିତ ରମେଶ ଚନ୍ଦ୍ର ପଣ୍ଡାଙ୍କ ସହ ମୁଖ୍ୟ ପୁରୋଧା ବୀର କିଶୋର କର ଯଜ୍ଞକର୍ମ ପରିଚାଳନାରେ ସହଯୋଗ କରୁଥିବା ବେଳେ ମୁଖ୍ୟ କର୍ତା ଭାବେ ରାଜ କିଶୋର କର, ଉପକର୍ତାଭାବେ ସୁକାନ୍ତ କର, ମୁଖ୍ୟ କର୍ତୀ ଭାବେ କାଂଚନ କର ଓ ଉପକର୍ତୀଭାବେ ମଞ୍ଜୁଲତା କର ସହଯୋଗ କରୁଛନ୍ତି । ଏହି ଦୁଇ ଗ୍ରାମର ବରିଷ୍ଠ ମୁରବୀ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ