
ନାଗପୁର, 01 ମାର୍ଚ୍ଚ (ହି.ସ.)- ମହାରାଷ୍ଟ୍ରର
ନାଗପୁର ଜିଲ୍ଲାର କଳମେଶ୍ୱର ପୁଲିସ ଥାନା ଅଞ୍ଚଳ ଅଧୀନରେ ଥିବା ରାହୁଲଗାଁରେ ଥିବା ଏସବିଏଲ୍
ଏନର୍ଜି ଲିମିଟେଡ୍ କମ୍ପାନୀର କାରଖାନାରେ ଆଜି ଘଟିଥିବା ଭୟଙ୍କର ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ
ଘଟିଛି। ନାଗପୁର ଗ୍ରାମୀଣର ପୁଲିସ ଅଧୀକ୍ଷକ ହର୍ଷ ପୋଦ୍ଦାର ଏହି ଘଟଣାର ସୂଚନା ପରଦାନ କରିଛନ୍ତି।
ଆହତମାନଙ୍କ ସଠିକ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।
ନାଗପୁରର କଳମେଶ୍ୱରରେ
ଅବସ୍ଥିତ ଏସବିଏଲ୍ ଏନର୍ଜି ଲିମିଟେଡ୍ (ପୂର୍ବତନ ନାମ ସ୍ପେସିଆଲ୍ ବ୍ଲାଷ୍ଟ ଲିମିଟେଡ୍) ଦେଶର
ପ୍ରମୁଖ ଶିଳ୍ପ ବିସ୍ଫୋରକ ଉତ୍ପାଦନ କମ୍ପାନୀ ମଧ୍ୟରୁ ଗୋଟିଏ। ଏହି କମ୍ପାନୀ ଖଣି ଓ ଭିତ୍ତିଭୂମି
ଢାଞ୍ଚା ପ୍ରକଳ୍ପ ପାଇଁ ଆବଶ୍ୟକ ବିସ୍ଫୋରକ ସାମଗ୍ରୀ, ଡେଟୋନେଟର
ଏବଂ ସମ୍ବନ୍ଧିତ ଉତ୍ପାଦ ତିଆରି କରେ।
ଏହି ବିସ୍ଫୋରଣ ରବିବାର ଭୋର
ପ୍ରାୟ ୫ଟା ୩୦ମିନିଟ୍ ସମୟରେ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ଶବ୍ଦ
ଦୂରଦୂରନ୍ତରେ ଶୁଣିବାକୁ ମିଳିଥିଲା ବୋଲି ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି। ଘଟଣାର ସୂଚନା
ମିଳିବା ସହିତ ନାଗପୁରର ଜିଲ୍ଲାପାଳ ଡା. ବିପିନ ଇଟନକର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଧିକାରୀମାନଙ୍କ କହିବା ଅନୁସାରେ, ବିସ୍ଫୋରଣର ସଠିକ କାରଣ ଓ
ଆହତଙ୍କ ସଂଖ୍ୟା ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ବର୍ତ୍ତମାନ ଉଦ୍ଧାର ଓ ରାହତ
କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଛି। ପୁଲିସ କହିଛି ଯେ, ଘଟଣାର ସମ୍ପୂର୍ଣ୍ଣ ସମୀକ୍ଷା ପରେ ମାତ୍ର ଆଧିକାରିକ ସଂଖ୍ୟା ଜାରି କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା