
Bhubaneswar, 12 ମାର୍ଚ୍ଚ (ହି.ସ.)
• 10 ବସ୍ତିର 303 ପରିବାରକୁ ପ୍ରଦାନ କରାଗଲା ସୁଲଭ ଆବାସ ଗୃହ
• ବସ୍ତିମୁକ୍ତ ଓଡିଶା ଗଠନ ପାଇଁ ଯୋଜନା ହେବ -ମନ୍ତ୍ରୀ
10ରୁ ଅଧିକ ବସ୍ତିର 303 ଗୋଟି ପରିବାର ସହ ଦୁଇଜଣ ଦିବ୍ୟାଙ୍ଗଙ୍କୁ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ସୁଲଭ ଆବାସ ଯୋଜନାରେ ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କରାଯାଇଛି । ଏହି ପରିବାରଗୁଡିକୁ ଚନ୍ଦ୍ରଶେଖରପୁର ଅନ୍ତର୍ଗତ ବୁଦ୍ଧ ବିହାର ଆବାସିକ ପ୍ରକଳ୍ପ, ନିଳମାଧବ ଆବାସିକ ପ୍ରକଳ୍ପ ଏବଂ ସୁବିଦ୍ଧିପୁର ଆବାସିକ ପ୍ରକଳ୍ପକୁ ସ୍ଥାନାନ୍ତର କରାଯିବ । ସ୍ଥାନାନ୍ତର ହେବାକୁ ଥିବା ପରିବାରଗୁଡିକର ପ୍ରାଥମିକ ସର୍ଭେ କରାଯାଇଥିଲା । ସେହି ସର୍ଭେ ଫଳାଫଳକୁ ଆଧାର କରି, 303 ଜଣ ହିତାଧିକାରୀଙ୍କୁ ଚନ୍ଦ୍ରଶେଖରପୁରସ୍ଥିତ ବୁଦ୍ଧ ବିହାର, ନିଳମାଧବ ଏବଂ ସୁବୁଦ୍ଧିପୁର ଆବାସିକ ପ୍ରକଳ୍ପରେ ଗୃହ ପ୍ରଦାନ କରାଯାଇଛି । ଉଚ୍ଛେଦ ଏବଂ ପୁନର୍ବାସ ନିୟମ ଅନୁଯାୟୀ, ସ୍ଥାନାନ୍ତର ସମୟରେ ପ୍ରଭାବିତ ପରିବାରଙ୍କୁ ମୌଳିକ ଜରୁରୀ ସହାୟତା ଯୋଗାଇଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ।
ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା,ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ସ୍ଲମ ସେଟଲମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଓ କୈଳାସ ଚନ୍ଦ୍ର ଦାସ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିତାଧିକାରୀଙ୍କ ସହ ବହୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଗତ ଭାଷଣ ଅବସରରେ କମିଶନର ଶ୍ରୀ ଚଞ୍ଚଳ ରାଣା କହିଥିଲେ ଯେ, କୌଣସି ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ ପଡିବେ ନାହିଁ କି ଅଯୋଗ୍ୟ ହିତାଧିକାରୀଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଗୃହ ପ୍ରଦାନ କରାଯିବ ନାହିଁ । କୌଣସି ହିତାଧିକାରୀ ଘର ଭଡାରେ ଦେବେ ନାହିଁ ବୋଲି କମିଶନର ସତର୍କ କରାଇଦେଇଛନ୍ତି । ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କରିବା ଅର୍ଥ ହେଉଛି ଆବଣ୍ଟନରେ ସ୍ୱଚ୍ଛତା ରକ୍ଷା କରିବା । ଭୁବନେଶ୍ୱରରେ ନିଜ ନିଜର ସ୍ୱପ୍ନର ଘର ପାଇ ହିତାଧିକାରୀମାନେ ସୁଖ ଓ ଶାନ୍ତିରେ ନିଜ ଘରେ ରହୁଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମେୟର ଶ୍ରୀମତୀ ସୁଲୋଚନା ଦାସ ।
କେବଳ ଭୁବନେଶ୍ୱର ନୁହେଁ, ସମଗ୍ର ଓଡିଶାକୁ ବସ୍ତି ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଭୁବନେଶ୍ୱରରେ ଗୃହ ନିର୍ମାଣ କରାଯାଉଛି ଏବଂ ସୁଲଭ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ଯୋଜନା ହୋଇଛି ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା, ଉପାୟୁକ୍ତ ଅଜୟ କୁମାର ମହାନ୍ତି ଓ ସହକାରୀ କମିଶନର ସତ୍ୟଜିତ ଦାଶ କରିଥିବା ବେଳେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ନିଜ ନିଜ ସ୍ୱପ୍ନର ଗୃହ ପାଇବା ପରେ ହିତାଧିକାରୀମାନେ ଆନନ୍ଦରେ ଭାବବିହୋଳ ହୋଇପଡିଥିଲେ । ଏପରିକି କିଛି ହିତାଧିକାରୀ ଖୁସିରେ କାନ୍ଦି ପକାଇଥିଲେ ଏବଂ ଭୁବନେଶ୍ୱରରେ ଆମର ଏକ ପରିଚୟ ସୃଷ୍ଟି ହେଲା ବୋଲି କହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା