
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ସପ୍ତାହବ୍ୟାପୀ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଗୁରୁବାର ଉଦଯାପିତ ହୋଇଛି। ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ୧ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇଥିଲେ । ଏହି ସମ୍ମିଳନୀ ବୃହତର ଭାବେ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ଓ କମ୍ୟୁନିଟି ପୋଲିସିଂରେ ଏକ ଐତିହାସିକ ମାଇଲଖୁଂଟ ସ୍ଥାପନା କରିସାରିଛି ।
ପ୍ରଦର୍ଶନୀର ଶେଷ ଦିନରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ଡାକ୍ତର ମନୋଜ କୁମାର ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଶ୍ରମ ଓ ଇଏସଆଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ, ଏବଂ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଶେଷଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆରପିଏଫ,ସିଆଇଏସଏଫ୍ ଓ ସିଆରପିଏଫ୍ ର କର୍ମଚାରୀ ଓ ତାଙ୍କ ପରିବାରସଦସ୍ୟମାନେ ଯୋଗଦେଇ ଭାରତର ନୂତନ ନ୍ୟାୟ ବ୍ୟବସ୍ଥା ବିଷୟରେ ଅବଗତ ହୋଇଥିଲେ।
ଉଲ୍ଲେଖ ଯୋଗ୍ୟ ଯେ,ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଦୁଇ ଦିନ ସମୟ ବଢ଼ାଯାଇଥିବା ଏହି ପ୍ରଦର୍ଶନୀ ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତାକୁ ସାଧାରଣ ଲୋକଙ୍କ ମଧ୍ୟରେ ସରଳ ଭାବରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହି ଆଇନ ୧ ଜୁଲାଇ ୨୦୨୪ ଠାରୁ ଔପନୈଶିକ ଯୁଗର ପୁରୁଣା ଆଇନକୁ ପରିବର୍ତନ କରି ଏକ ଅଧିକ ପାରଦର୍ଶୀ, କାର୍ଯ୍ୟକୁଶଳ ଓ ନାଗରିକମୁଖୀ ନ୍ୟାୟ ବ୍ୟବସ୍ଥା ଗଢ଼ି ତୋଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା