
ଜୟପୁର, ୧୨ ମାର୍ଚ୍ଚ (ହି.ସ.)- ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ତେନ୍ତୁଳିଗୁମ୍ମା ପଞ୍ଚାୟତକୁ ଅଣଦେଖା କରାଯାଉଥିବା ସହ ଉନ୍ନୟନମୂଳକ କାର୍ଯ୍ୟରେ ଅବହେଳାକୁ ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ପଞ୍ଚାୟତବାସୀ। ଶେଷରେ ଆଜି ବୈପାରୀଗୁଡା ବିଡ଼ିଓ ସୁବ୍ରତ ସାହୁ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ଆଜି ବି ଅବହେଳିତ ତେନ୍ତୁଳିଗୁମ୍ମା ପଞ୍ଚାୟତର ମାଟିଗୁଡା, ମାଙ୍କଡପାଣି, କଣ୍ଟା ବାଉଁଶଗୁଡ଼ା, ମାଛାଗୁଡା ଏବଂ ଭେଜନିଗୁଡା । କେବଳ ମାଟିଗୁଡାକୁ ଛାଡିଦେଲେ ବଳକା ସମସ୍ତ ଗାଁକୁ ଆଜିବି ରାସ୍ତା, ଆଲୁଅ, ବିଜୁଳି ଭଳି ମୌଳିକ ସୁବିଧା ନାହିଁ l ମୁଖ୍ୟତଃ ମାଲକାନଗିରି ଜିଲ୍ଲାର ସାରଙ୍ଗପାଲି ସହ ମାଟିଗୁଡା ଗାଁ କୁ ରାସ୍ତା ସଂଯୋଗ ହେଲେ ଲୋକଙ୍କ ଅଧିକାଂଶ ସମସ୍ୟା ସମାଧାନ ହେବ ବୋଲି ଗାଁ ଲୋକେ କହିଥିଲେ l ଏନେଇ ଉଭୟ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି ଗାଁ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ବିଡ଼ିଓ । ସେହିପରି ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ସହ ସ୍ୱାସ୍ଥ୍ୟକେନ୍ଦ୍ର, ରାସ୍ତାଘାଟ ପ୍ରମୁଖ ବୁଲି ତଦାରଖ କରିଥିଲେ। ଅତିଶୀଘ୍ର ପଞ୍ଚାୟତରେ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଏବଂ ଗମନାଗମନର ସୁବିଧା କରାଯିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାଛଡ଼ା ପଞ୍ଚାୟତରେ ବହୁ ବୃଦ୍ଧ ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ରହିଥିବାରୁ ସେମାନଙ୍କୁ ଭତ୍ତା ପ୍ରଦାନ କରାଯିବା ସହ କିଛି ଅସହାୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗୃହ ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ।
ଏହି ଗସ୍ତ ସମୟରେ ସହକାରୀ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା, ଡବ୍ଲୁଇଓ ଚନ୍ଦ୍ର ପୂଜାରୀ, ପୂର୍ବତନ ସରପଞ୍ଚ ବୁଦ୍ରା ନାୟକଙ୍କ ସହ ପିଇଓ ଗତିକୃଷ୍ଣ ପାଙ୍ଗି, ଜିଆରଏସ ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି