
ଜୟପୁର, ୧୨ ମାର୍ଚ୍ଚ (ହି.ସ.)- ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆସନ୍ତା ୧୩ ଓ ୧୪ ମାର୍ଚ୍ଚ ୨୦୨୬ ତାରିଖରେ କ୍ୟାମ୍ପସରେ ଦୁଇ ଦିନ ଧରି ଦୁଇଟି ଜାତୀୟ ସେମିନାର ଆୟୋଜନ କରିବାକୁ ଯାଉଛି । ଏହି ସେମିନାରଗୁଡ଼ିକୁ ଭୁବନେଶ୍ୱରସ୍ଥ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ସହଯୋଗରେ ଆୟୋଜନ କରାଯାଉଛି। ସେମିନାର ହେବାକୁ ଥିବାବେଳେ, ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଉକ୍ତ ଦୁଇଟି ସେମିନାରକୁ ଉଦଘାଟନ କରିବେ। ଏହି ଅବସରରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଉପସ୍ଥିତ ରହିବେ। ଏହି ସେମିନାରର ମୁଖ୍ୟ ଅତିଥି ଭାବେ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟର ଇତିହାସ ଓ ଦକ୍ଷିଣ ଏସିଆ ଭାଷା ଓ ସଭ୍ୟତା ବିଭାଗର ପ୍ରଫେସର ଦିପେଶ ଚକ୍ରବର୍ତ୍ତୀ ମୁଖ୍ୟ ଅଭିଭାଷଣ ପ୍ରଦାନ କରିବେ। ସେମିନାରରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ପ୍ରସିଦ୍ଧ ଶିକ୍ଷାବିଦ୍ ଓ ଗବେଷକ ଯୋଗଦେବେ। ସେମାନଙ୍କ ମଧ୍ୟରେ ପ୍ରଫେସର ସମ୍ବିତ କୁମାର ତ୍ରିପାଠୀ, ପ୍ରଫେସର ପ୍ରଫୁଲ୍ଲ ମିଶ୍ର (ପୂର୍ବତନ କୁଳପତି, ନର୍ଥ ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ପୂର୍ବତନ ନିର୍ଦ୍ଦେଶକ, ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର (ପୂର୍ବତନ କୁଳପତି, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ), ଡ଼ା. ଅବିରାଜ ଦତ୍ତ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ (ପରିବେଶବିଦ୍), ପ୍ରଫେସର ରାଣା ପୃଥ୍ୱୀରାଜ ସିଂହ ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼ା. ରାକେଶ କୁମାର ଲେଙ୍କାଙ୍କ ସହିତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ରହିବେ ବୋଲି ବିଶ୍ବବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡ଼ା. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି ।
ଏହି ସେମିନାରଗୁଡ଼ିକ ବିକସିତ ଓଡ଼ିଶା ୨୦୩୬ ପାଇଁ ଯୋଜନା ପ୍ରସ୍ତୁତିରେ ଅତ୍ୟନ୍ତ ଉପକାରୀ ହେବ ବୋଲି କାର୍ଯ୍ୟକ୍ରମର ଆବାହକ ଡ଼ା. ଜୟନ୍ତ କୁମାର ନାୟକ ଓ ସହ-ଆବାହକ ଡ଼ା. ଦେବବ୍ରତ ପଣ୍ଡା କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି