
କନ୍ଧମାଳ , ୧୨ ମାର୍ଚ୍ଚ (ହି.ସ.) - ବର୍ଷ ପରେ ଆଜି ଜଣେ ଯୁବ ଜିଲ୍ଲାପାଳ ବେଲଘରରେ ପହଂଚି ଆଦିମ ଜନଜାତି କୁଟିଆ କନ୍ଧ (ପିଭିଟିଜି)ମାନଙ୍କ ଅଭିଯୋଗ ଶୁଣିଛନ୍ତି। ବିଗତ ଦିନରେ ବାଇକରେ ଯାଇ କୁଟିଆ ଗାଁରେ ପହଂଚି ସମସ୍ୟା ଦେଖିବା ସହ ସରକାରଙ୍କ ଯୋଜନା ଦେଖି ଚର୍ଚ୍ଚା ରେ ଥିବା କନ୍ଧମାଳ ଜିଲ୍ଲାପାଳଙ୍କ ଏହି ଜନଶୁଣାଣିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ଜିଲ୍ଲାପାଳଙ୍କ ପ୍ରୟାସକୁ ପ୍ରସଂଶା କରାଯାଇଛି।
ଏହି ଜନଶୁଣାଣି ବେଲଘର ଠାରେ ଥିବା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବେଳେ ବେଲଘର, ଗୁମା, ଝିରିପାଣି ଓ ବିଲାମାଳ ପଂଚାୟତରେ ବସବାସ କରୁ ଥିବା ଆଦିମ ଜନଜାତି କୁଟିଆ କନ୍ଧ ମାନେ ସେମାନଙ୍କ ବ୍ୟକ୍ତି ଗତ ସାମୁହିକ ଭାବରେ ମୋଟ ୧୨୫ ଟି ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ପହଂଚିଥିଲେ। କିଭଳି ସରକାରଙ୍କ ଯୋଜନା ଠିକ ରେ ମିଳିପାରୁ ନହିଁ ଓ ଲୋକେ ବିଭିନ୍ନ ଯୋଜନାରୁ ବଂଚିତ ହେଉଛନ୍ତି ଏଭଳି ମାଳମାଳ ସମସ୍ୟା ଜିଲ୍ଲାପାଳଙ୍କ ହସ୍ତ ଗତ ହୋଇଥିଲା।
ବ୍ୟକ୍ତିଗତ ଓ ସାମୁହିକ ୧୨୫ ଟି ଅଭିଯୋଗ କୁ ଜିଲ୍ଲାପାଳ ଗୁରୁତର ସହ ଶୁଣିଥିଲେ। ଏପରିକି ଗୁମ୍ମା ପଂଚାୟତରେ ଲୋକମାନଙ୍କ ପାଖରେ ତଳେ ବସି, କେଉଁ ଗାଁରେ ଶୁଦ୍ଧ ପାନୀୟ ଜଳର ସମସ୍ୟା ରହିଛି କେଉଁଠି ଲୋକଙ୍କୁ ଆବାସ ଯୋଜନରୁ ବଂଚିତ ହୋଇଛନ୍ତି। ସବୁଠାରୁ ବିଡମ୍ବନା ରହିଥିଲା ୬୦ରୁ ୭୦ ବର୍ଷର ବୃଦ୍ଧବୃଦ୍ଧାମାନେ ଏବେବି ଭତା ପାଇବାରୁ ବଂଚିତ ହୋଇ ରହିଛନ୍ତି। ବେଲଘର ପଂଚାୟତର ମାଦଲାକୁନାର ରଘୁ ବାରଡୁ ମାଝି ଭତା ପାଉଥିବା ବେଳେ ୧୧ ମାସ ହେଲା ବୟସ ତ୍ରୁଟି ଥିବାରୁ ଭତା ପାଉ ନାହାନ୍ତି ସେହି ଭଳି ଲଲକୁଟାଡୁ ମାଝି ମଧ୍ୟ ବୟସ ୭୦ ପହଂଚିଥିଲେ ମଧ୍ୟ ଭତାରୁ ବଂଚିତ ଅଛନ୍ତି କେବଳ ଏହି ଦୁଇ ଜଣ ନୁହନ୍ତି ଏଭଳି ବହୁ ବୃଦ୍ଧ ବୃଦ୍ଧା ଭତାରୁ ବଂଚିତ ରହିଥିବା ଦେଖିବାକୁ ମିଳିଥିଲା।
ସରକାରଙ୍କ ନିର୍ଦେଶ ପ୍ରକାରେ ଭୋଟର କାର୍ଡ ଓ ଆଧାରକାର୍ଡରେ ବୟସ ଠିକ ନଥିବାରୁ ଏଭଳି ବଂଚିତ ହେଉଥିବା ଜଣାପଡିଥିଲା। ଏହା ପରେ ଜିଲ୍ଲାପାଳ ବେଦ ଭୂଷଣ ଏକ ଏହାକୁ ଗୁରୁତର ସହ ନେଇ ଡାକ୍ତର ଟିମ ଏହାର ଅନୁଧ୍ୟାନ କରି ଭୋଟର କାର୍ଡ ଓ ଆଧାରକାର୍ଡରେ ଖୁବ ଶୀଘ୍ର ବୟସ ସଂଶୋଧନ କରାଯିବା ସହ ଭତା ଦେବା ପାଇଁ କହିଥିଲେ। ଜିଲ୍ଲାପାଳଙ୍କ ସହ କନ୍ଧମାଳ ଜିଲ୍ଲାପ୍ରକଳ୍ପ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ, ଉପଜିଲ୍ଲାପାଳ ପ୍ରଣିତା ଦାସ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ କୃପା ସିନ୍ଧୁ ବେହେରା, ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ୱାଇଁ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ। ବେଲଘର ଠାରେ ଏଭଳି କିଛି ମାସ ବ୍ୟବଧାନରେ ଜନଶୁଣାଣି କରାଗଲେ ଲୋକଙ୍କ ସମସ୍ୟା ଦୂର ହୋଇ ପାରିବ ବୋଲି ବ୍ଲକ ଅଧକ୍ଷ ବାସନ୍ତୀ ମାଝି, ସରପଂଚ ଗୋବିନ୍ଧ ମାଝି, ଗୁମା ସରପଂଚ ସାଞ୍ଜୁ ମଲ୍ଲିକ ଓ ବିଲାମାଳ ସରପଂଚ ବାବିତା ମାଝି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ