
ଝାରସୁଗୁଡ଼ା, ୧୨ ମାର୍ଚ୍ଚ (ହି.ସ.)- ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୁଲ୍ୟରେ ଆଜି ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏକ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଝାରସୁଗୁଡ଼ା ବ୍ଲକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ସଦସ୍ୟା ଅଂଶଗ୍ରହଣ କରି ଆର୍ଥିକ ପରିଚାଳନା ସମ୍ପର୍କରେ ଜାଣିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଓ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଓ.ଏଲ.ଏମ. ର ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ପୁଷ୍ପଶ୍ରୀ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନଶୀଳତା ଓ ଆର୍ଥିକ ସାକ୍ଷରତାର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। ସାମ୍ପ୍ରତିକ ସମୟରେ ବୃଦ୍ଧି ପାଉଥିବା ସାଇବର ଠକେଇ ସମ୍ପର୍କରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କର ବରିଷ୍ଠ ଶାଖା ପରିଚାରକ ହରିଶ ସଜ୍ଜନାପୁ ଉପସ୍ଥିତ ମହିଳାମାନଙ୍କୁ ସତର୍କ କରାଇଥିଲେ। ସେହିପରି ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଶିରପାଣି ନାୟକ ଚିଟ୍ ଫଣ୍ଡର କୁପରିଣାମ ବିଷୟରେ ଆଲୋକପାତ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବୀମା ଓ ପେନସନ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ।
ଝାରସୁଗୁଡ଼ା ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ପ୍ରତାପଚନ୍ଦ୍ର ଭୋଇ ସରକାରଙ୍କ ସ୍ୱଳ୍ପ ସଞ୍ଚୟ ଯୋଜନା ଓ ଡାକ ଜୀବନ ବୀମା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ବେଳେ, ଆଇପିପିବି ଅଧିକାରୀ ସୁମିତ ପ୍ରମାଣିକ, ବ୍ୟାଙ୍କ୍ର ଏବଂ ବିଭିନ୍ନ ବୀମା ଯୋଜନା ବିଷୟରେ ଅବଗତ କରାଇଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗର କର୍ମଚାରୀ ହେମକାନ୍ତ ବାଗ ଓ ଜଗନ୍ନାଥ ରାଉତ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ