

ଜୟପୁର, ୧୨ ମାର୍ଚ୍ଚ (ହି.ସ.)- ଜଳ ହିଁ ଜୀବନ । ସେଥିପାଇଁ କୁହାଯାଏ, ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ରାଜ୍ୟରେ ଖରା ବଢ଼ିବା ମାତ୍ରେ ଜଳ ଯନ୍ତ୍ରଣା ଜଳଜଳ ହୋଇ ଦେଖାଯାଉଛି । ପରିବାରର ଶୋଷ ମେଣ୍ଟାଇବା ପାଇଁ ଘରର ମାଆମାନେ ନିଇତି କରୁଛନ୍ତି ସଂଘର୍ଷ । କେଉଁଠି ଗରା, ବାଲଟି ଧରି ଘରଠୁ ଦୂରକୁ ଯାଉଛନ୍ତି ତ ଆଉ କେଉଁଠି ଏକମାତ୍ର ନଳକୂପ ପାଖରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି । ଆଉ କୋରାପୁଟ ଜିଲ୍ଲା ଭଳି ଅପହଞ୍ଚ ଉପାନ୍ତ ଗ୍ରାମାଞ୍ଚଳରେ ବାଧ୍ୟ ହୋଇ ଚୁଆ ପାଣି ଉପରେ ନିର୍ଭର କରନ୍ତି ଗ୍ରାମବାସୀ l ଏଭଳି ଏକ ବାସ୍ତବ ଚିତ୍ର ବୈପାରୀଗୁଡା ବ୍ଲକ ରାମଗିରି ପଂଚାୟତ ମାଳିଗୁଡା ଠାରେ ଦେଖିବାକୁ ମିଳିଛି l ପାହାଡ଼ ପର୍ବତ ଘେରା ଉପାନ୍ତ ମାଳିଗୁଡା ଗାଁରେ ରହୁଥିବା ପଚାଶ ପରିବାର ପ୍ରତିବର୍ଷ ଖରା ଦିନେ ପାନୀୟ ଜଳକୁ ନେଇ ବହୁ ସମସ୍ୟା ଭୋଗନ୍ତି । କାରଣ ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ନଳକୂପ ବ୍ୟବସ୍ଥା କରାଯାଇଛି, ହେଲେ ତାହା ୩ ବର୍ଷ ଧରି ଅଚଳ । ଆଉ ବିଦ୍ୟାଳୟ ପରିସରରେ ନଳକୂପ ଅଛି କିନ୍ତୁ ସ୍କୁଲ ପିଲା ଏବଂ ଅଙ୍ଗନବାଡି ପିଲାଙ୍କ ପାଇଁ ସେ ନଳକୂପ ପାଣି ନିଅଣ୍ଟ । ତେଣୁ ପିଇବା ଓ ଗାଧୁଆ ପାଇଁ ଗାଁ ଠାରୁ ଏକ କିଲୋମିଟର ଦୂରରେ ଥିବା ଚୁଆ ହିଁ ଏକମାତ୍ର ବିକଳ୍ପ । ଏଠାରେ ପ୍ରଥମେ ଗାଁ ଲୋକେ ନିଜ ଖର୍ଚ୍ଚରେ ପଥର କୁଣ୍ଡ ନିର୍ମାଣ କରିଥିଲେ l ପରବର୍ତ୍ତୀ ସମୟରେ ପଂଚାୟତ ତରଫରୁ ସେଠାରେ ଲୁହା ଢ଼ାଙ୍କୁଣି ବ୍ୟବସ୍ଥା କରାଯାଇଛି l କିନ୍ତୁ ସେ ଢ଼ାଙ୍କୁଣି କାମରେ ଲାଗୁନି l ବାହାର ପାଣି କୁଣ୍ଡରେ ଭରି ଯାଉଛି ପାଣି ସମ୍ପୂର୍ଣ୍ଣ ଦୂଷିତ ହୋଇଯାଉଛି l ଗାଁ ରେ ନଳକୂଅ ସୁବିଧା ନ ଥିବା ଯୋଗୁଁ ବାଧ୍ୟ ହୋଇ ଏକ କିଲୋମିଟର ଦୂରରେ ଏହି ଦୂଷିତ ପାଣି ଉପରେ ନିର୍ଭର କରନ୍ତି l ପୁଣି ପ୍ରତିଦିନ ବଣ ପାହାଡ଼ ଘେରା ରାସ୍ତାରେ ଚାଲିଚାଲି ଯାଇ ବିପଦସଂକୁଳ ପରିସ୍ଥିତିରେ ପାଣି ସଂଗ୍ରହ କରନ୍ତି । ବନ୍ୟଜନ୍ତୁ ଭୟରେ ପାଣି ସଂଗ୍ରହ ପାଇଁ ମହିଳା ମାନେ ଗାଁ ର ପୁରୁଷ ମାନଙ୍କୁ ସାଥୀରେ ନିଅନ୍ତି l ଦୂଷିତ ପାଣି ପିଇ ଲୋକେ ଅନେକ ସମୟରେ ନାନା ଜଳବାହିତ ରୋଗରେ ପଡୁଥିଲେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି l
ଏନେଇ ସ୍ଥାନୀୟ ଆଶାକର୍ମୀ ସାବିଦେଇ ବିଶୋଇ କହିଛନ୍ତି ଯେ, ଲୋକଙ୍କୁ ରୋଗ ଦାଉରୁ ଦୂରେଇ ରହିବାକୁ ଯେତେ ଔଷଧ ଓ ମଶାରୀ ଟାଣିବା ପାଇଁ ସଚେତନ କରାଯାଉଛି କିନ୍ତୁ କ'ଣ ହେବ ଏଠାରେ ପିଇବା ପାଇଁ ବିଶୁଦ୍ଧ ଜଳ ମିଳୁନି l ଏଥିପ୍ରତି ପ୍ରଶାସନ ମଧ୍ୟ ଦୃଷ୍ଟି ଦେଉନି l ଗାଁ ର ଦୈତାରୀ ମାଳି, ଧନ ଚୌଧୁରୀ, ଡମୁରୁ ମାଳୀ, କଇତା ମାଳି, ଭଗତ ମାଳି, ରାମନାଥ ମାଳି, ଟାଇପି ବିଶୋଇ, ରେବତୀ ମାଳି, ରଦମା ଯାନୀ ତେଟନ୍ତି ମାଳି ପ୍ରମୁଖ ଅଗାମି ଦିନରେ ପାଣି ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି l ଏହି ସମସ୍ୟାକୁ ନେଇ ଆମ ପ୍ରତିନିଧି ସ୍ଥାନୀୟ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ଏସଡିଓ ଅକ୍ଷୟ ପଟ୍ଟନାୟକଙ୍କ ନଜରକୁ ଆଣିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ କରି ଅତି ଶୀଘ୍ର ପାଣି ସମସ୍ୟା ସମାଧାନ କରିବେ l
ହିନ୍ଦୁସ୍ଥାନ ସମାଚାର / ପିକେପି