
ବଲାଙ୍ଗିର, ୧୨ ମାର୍ଚ୍ଚ (ହି.ସ.) - ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଂଚାୟତ ମୁଖ୍ୟାଳୟରେ ବସୁଧା ଯୋଜନାରୁ ନିର୍ମାଣ ହେଉଥିବା ଓ଼ଭରହେଡ଼ ପାଣିଟାଙ୍କି ଠିକାଦାରଙ୍କ ଅବହେଳା କାରଣରୁ ଅଧାପନ୍ତରିଆ ଭାବେ ପଡ଼ିରହିଛି । ଗାଁରେ ପାନୀୟ ଜଳ ସଙ୍କଟ ଥିବାବେଳେ ଏବେ ଏକ ମାତ୍ର ସାହା ଭରଷା ଲୌହ ମିଶ୍ରିତ ନଳକୂପ ପାଣି । ଗୋଇମୁଣ୍ଡ ଖେଳ ପଡିଆ ପାର୍ଶ୍ୱରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ୨୦୨୫ରେ କାର୍ଯ୍ୟ ଆରମ୍ଭ ହୋଇ ଏ ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇ ନ ଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେପଟେ ଠିକାଦାରଙ୍କ ଅବହେଳା ଯୋଗୁଁ ବିନା ତାର ବାଡ଼ ବା ସଚେତନ ବୋର୍ଡ଼ ନ ଥିବା କାରଣରୁ ଖେଳ ପଡ଼ିଆ ପାଖରେ କାର୍ଯ୍ୟ ଅଧା ହୋଇ ପଡ଼ିଥିବା ଓଭରହେଡ଼ ଟ୍ୟାଙ୍କରେ ବ୍ୟବହାର ହୋଇଥିବା ଓଜନିଆ ସାମଗ୍ରୀ କାହା ଉପରେ ପଡ଼ି ଦୁର୍ଘଟଣା ଘଟିପାରେ ବୋଲି ମଧ୍ୟ ଲୋକେ ଭୟଭୀତ ହୋଇ ଅଭିଯୋଗ କରିଛନ୍ତି । ସରକାରୀ ଯୋଜନା ଥାଇ ମଧ୍ୟ କେଉଁଠି ପାଣି ମିଳୁ ନ ଥିବାବଳେ ଏବେ ଖରା ଦିନରେ ଗାଁ ଗାଁରେ ଟ୍ରାକ୍ଟର ପାଣି ଟାଙ୍କିରେ ପାଣି ଯୋଗାଣ କରି ବ୍ୟବସାୟୀ ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ନେଇ ମାଲାମାଲ ହେଉଥିବା କହିଛନ୍ତି ଗ୍ରାମବାସୀ । ସେହିପରି ଗୋଇମୁଣ୍ଡ ପଂଚାୟତ ଗୁରୁଣ୍ଡା ଗ୍ରାମରେ ୨୫୪ ପରିବାର ଥାଇ ମଧ୍ୟ ପିଇବା ପାଣି ପାଇ କେବଳ ନଳକୂପ ଭରଷା ଥିବାରୁ ଏକ ଓଭରହେଡ଼ ଟ୍ୟାଙ୍କ ହେଲେ ବିଶୁଦ୍ଧ ଜଳ ପାଇ ପାରିବୁ ବୋଲି ଲୋକେ କହିଛନ୍ତି । କାର୍ଯ୍ୟ ଶୀଘ୍ର ଆରମ୍ଭ କରି ଖରା ମାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗୋଇମୁଣ୍ଡ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ବିଶ୍ୱଜିତ ଜେନାକୁ ଫୋନରେ ଯୋଗାଯୋଗ କରିବାରୁ ମୁଁ ଛୁଟିରେ ଅଛି କାର୍ଯ୍ୟରେ ଯୋଗ ଦେଲେ କଣ ଅସୁବିଧା ହୋଇଛି ବୁଝିବି ବୋଲି ପ୍ରତିକ୍ରିୟା ରଖିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ