
ମାଲକାନଗିରି, ୧୨ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଞ୍ଚାୟତ ଅନ୍ତର୍ଗତ ଇଦିକୋଣ୍ଡା ଗ୍ରାମରେ ହୋଇଥିବା ପୋଖରୀ ପୁନରୁଦ୍ଧାର କାମରେ ଅନିୟମିତତା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ଇଦିକୋଣ୍ଡା ଗ୍ରାମରେ ମନରେଗା ଯୋଜନାରେ ନିର୍ମିତ କୋଡ଼ ନମ୍ବର ୧୦୫୫୪୩୮୨ ରେ ୨୦୨୨-୨୩ ଆର୍ଥିକ ବର୍ଷରେ ପୋଖରୀ କାମ ହୋଇଥିଲା । ଏହା ୯ ଲକ୍ଷ ୫୨୦୦୦ ଟଙ୍କା ର କାମ ଥିବା ବେଳେ ସେତେବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ କାମ ସଂପୂର୍ଣ୍ଣ ନହୋଇ ୪ ଲକ୍ଷ ୭୨୧୭୧ ଟଙ୍କା ମଜୁରୀ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ୪ ବର୍ଷ ତଳର ଏହି ପୁରୁଣା କାମରେ ପୁନରୁଦ୍ଧାର ଦର୍ଶାଇ ମେସିନ ଲଗାଇ ପ୍ରକଳ୍ପକୁ ଚଟାପଟ ସାରି ଦେଇ ବଳକା ଅର୍ଥ ଲୁଟ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି । ପୋଖରୀ ପୁନରୁଦ୍ଧାର କାମରେ ମେସିନ ବ୍ୟବହାର କରି ବର୍ତ୍ତମାନ ସ୍ଥାନୀୟ ଜବକାର୍ଡଧାରୀଙ୍କ ଆକାଉଣ୍ଟକୁ ଅସାଧୁ ଉପାୟରେ ଟଙ୍କା ପଠାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବା ପ୍ରୟାସ ଚାଲିଥିବା ସ୍ଥାନୀୟ କିଛି ଲୋକ ନିଜ ନାମ ଗୋପନ ରଖି କହିଛନ୍ତି । ଏହି ଦୁର୍ନୀତିର ପେଡ଼ି ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ଗଠନ କରି ନିରପେକ୍ଷ ତଦନ୍ତ କଲେ ଲକ୍ଷାଧିକ ଟଙ୍କାର କେଳେଙ୍କାରୀ ସାମ୍ନାକୁ ଆସିବ ବୋଲି ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ କହିଛନ୍ତି । ଏନେଇ ସମ୍ପୃକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ ଡି.ଏନ. ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ